Thursday 25th April 2024
ଭାରତର ଦ୍ୱିତୀୟ ଚାଣକ୍ୟ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍

ଭାରତର ଦ୍ୱିତୀୟ ଚାଣକ୍ୟ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍

ଯାହାଙ୍କ ନାଁ ଶୁଣିଲେ ପାକିସ୍ଥାନ ଡରେ । ସେ ଅସ୍ତ୍ରଶସ୍ତ୍ର ରେ ନୁହଁ , ବୁଦ୍ଧିରେ ଆକ୍ରମଣ କରନ୍ତି । ତାଙ୍କୁ କିଏ କୁହେ ଏକ ବିଂଶ ଶତାବ୍ଦୀ ର ଚାଣକ୍ୟ ଏବଂ କିଏ କୁହେ ଭାରତର ଜେମ୍ସବଣ୍ଡ୍ । ତାଙ୍କ ନାଁ ହେଉଛି ଅଜିତ ଡୋଭାଲ୍ ।  ଭାରତ ର ବିଶିଷ୍ଟ ବ୍ୟକ୍ତିତ୍ୱ ହେଲେ ଅଜିତ ଡୋଭାଲ୍ । ଆଜିତାଙ୍କର ଜନ୍ମଦିନ । ଅନେକ ମହାନ ବ୍ୟକ୍ତିତ୍ୱ ଭାରତରେ ଜନ୍ମ ନେଇଛନ୍ତି ସତ, କିନ୍ତୁ ଏପରି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ସର୍ବଦା ପ୍ରସ୍ତୁତ ରହିଥାନ୍ତି । ଭାରତରେ ଜନ୍ମିତ ଏଭଳି ରତ୍ନ ମଧ୍ୟରୁ ଅଜିତ ଡୋଭାଲ୍ ଅନ୍ୟତମ ।

ଦେଶରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଭୂମିକାରେ କାର୍ଯ୍ୟ କରୁଥିବା ଅଜିତ ଡୋଭାଲ୍ ଙ୍କ ବିଷୟରେ ଅନେକ ଚର୍ଚ୍ଚା ଶୁଣିବାକୁ ମିଳେ । ତାଙ୍କ ବିଷୟରେ କିଛି ରୋଚକ ଏବଂ ରୋମାଞ୍ଚକର କାହାଣୀ ଅଛି, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦେଶ ପ୍ରତି ଏପରି ବିଶ୍ୱସ୍ତତା ଦେଖି ଆପଣ ତାଙ୍କ ବିଷୟରେ ଚିନ୍ତା କରି ଗର୍ବ ଅନୁଭବ କରିବେ । ଭାରତ ସ୍ୱାଧୀନ ହେବା ପୂର୍ବରୁ ଜନ୍ମ ଗ୍ରହଣ କରିଥିଲେ ଅଜିତ ଡୋଭାଲ୍ । ୧୯୪୫ ମସିହା ଜାନୁଆରୀ ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଅଜିତ ଡୋଭାଲ୍ । ୨୦୦୪ ରୁ ୨୦୦୫ ଯାଏ ସେଥିଲେ ଇଣ୍ଟେଲିଜେଣ୍ଟ ବ୍ୟୁରୋ ର ଡିରେକ୍ଟର ।

ଅଶୀ ଦଶକରେ ଯେତେବେଳେ ଭାରତର ଅଧିକାଂଶ ରାଜ୍ୟରୁ ପୃଥକ ଦେଶ ଗଠନ ପାଇଁ ଦାବି କରାଯାଉଥିଲା , ସେତେବେଳେ ମିଜୋରାମ ଉତ୍ତର ପୂର୍ବରେ ସର୍ବାଧିକ ଆଲୋଚନା ର ବିଷୟ ପାଲିଟିଥିଲା । ସେତେବେଳେ ମିଜୋରାମରେ ଲାଲଡେଙ୍ଗା ଏବଂ ତାଙ୍କର ୭ ଆତଙ୍କୀ କମାଣ୍ଡର ହିଂସା ଏବଂ ଅଶାନ୍ତି କରୁଥିଲେ । ଏହି ଅସ୍ଥିରତା ପୂର୍ଣ ଅବିଶ୍ୱାସନୀୟ ହିଂସାକୁ ରୋକିବା ପାଇଁ ଅଜିତ ଡୋଭାଲ୍ ଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଅଜିତ ଡୋଭାଲ୍ ତାଙ୍କର କୂଟନୀତି ଏବଂ ରଣନୀତି ମାଧ୍ୟମରେ ଲାଲଡେଙ୍ଗା ଗ୍ୟାଙ୍ଗରେ ପ୍ରବେଶ କରିଥିଲେ । ଧୀରେ ଧୀରେ ଲାଲଡେଙ୍ଗାର ୭ ଜଣ କମାଣ୍ଡର ଙ୍କୁ ତାଙ୍କ ଶିବିରରେ ସେ ଅନ୍ତର୍ଭୁକ୍ତ କରିଥିଲେ । ପରେ ପରେ ଲାଲଡେଙ୍ଗା ଏକୁଟିଆ ପଡିଯାଇଥିଲା । ଶକ୍ତିସାମର୍ଥ୍ୟ ହରାଇ ବାଧ୍ୟହୋଇ  ଭାରତ ସରକାରଙ୍କ ସହ ଆପୋଷ ବୁଝାମଣା କରିଲା । ଏହିପରି ଭାବରେ, ଯେଉଁଠାରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସୁଥିଲା, ଅଜିତ ଡୋଭାଲ୍ ଙ୍କ ଭାଷଣ ଗୁଳି ଚଳାଇବା ବନ୍ଦ କରିଦେଇଥିଲା । ଅସ୍ତ୍ରବିରତି ଉଲ୍ଲଂଘନ ଉପରେ ଏକ ଚୁକ୍ତିନାମା ସ୍ୱାକ୍ଷର କରାଇଥିଲେ ଅଜିତ ଡୋଭାଲ୍ ।

ଅଜିତ ଡୋଭାଲ୍ ଙ୍କର ଗୋଟିଏ ନୁହେଁ ବରଂ ଅନେକ କାହାଣୀ ଅଛି, ଯାହା କୌଣସି ଜେମ୍ସବଣ୍ଡ୍ କାହାଣୀ ଠୁ କମ୍ ନୁହଁ । ପଡୋଶୀ ଦେଶ ପାକିସ୍ତାନ ଅଜିତ ଡୋଭାଲ୍ ଙ୍କୁ ଅଧିକ ଭୟ କରେ । ସେ ପ୍ରାୟ ସାତ ବର୍ଷ ଧରି ପାକିସ୍ତାନରେ ରହି ଗୁପ୍ତଚର କାମ କରିଥିଲେ ଏବଂ ରହସ୍ୟମୟ ପ୍ରମାଣ ସଂଗ୍ରହ କରିଥିଲେ । ଯାହା ଭାରତକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ପାକିସ୍ତାନ ବ୍ୟବହାର କରିବାର ଥିଲା ତାକୁ ସେ ନଷ୍ଟ କରିଥିଲେ । ସାତ ବର୍ଷ ଧରି ଅଜିତ ଡୋଭାଲ୍ ପାକିସ୍ତାନରେ ଭିକାରୀ ଭାବରେ ସମୟ ଅତିବାହିତ କରିଥିଲେ ଏବଂ ଜଣେ ଗୁପ୍ତଚର ଏଜେଣ୍ଟ ଭାବରେ କାର୍ଯ୍ୟ କରିଥିଲେ।

ଯେତେବେଳେ ଅଜିତ ଡୋଭାଲ୍ ଜାଣିବାକୁ ପାଇଲେ ଯେ ପରମାଣୁ ପରୀକ୍ଷଣ କରୁଥିବା ବ୍ୟକ୍ତିଙ୍କ କେଶରେ ଥିବା ବିକିରଣ କହିଦେବ, ଯେ ସେଠାରେ ପରମାଣୁ ପରୀକ୍ଷା ପ୍ରସ୍ତୁତ ହେଉଛି କି ନାହିଁ ତାହା ଚିହ୍ନଟ ହୋଇପାରିବ । ସେତେବେଳେ ସେ ଏକ ଦୋକାନ ବାହାରେ ଭିକାରୀ ଭାବରେ ବସିବା ଆରମ୍ଭ କଲେ । ଯାହାଫଳରେ ସେ ଦୋକାନକୁ ଆସୁଥିବା ବୈଜ୍ଞାନିକଙ୍କ କେଶ ନମୁନା ସଂଗ୍ରହ କରିପାରିବେ । ଅଜିତ ଡୋଭାଲ୍ ଙ୍କ ଦ୍ୱାରା ସଂଗ୍ରହ କରାଯାଇଥିବା ନମୁନା ଯୋଗୁଁ ପାକିସ୍ତାନକୁ ପରମାଣୁ ପରୀକ୍ଷଣରେ ଅସୁବିଧା ର ସମୁଖୀନ ହେବାକୁ ପଡିଲା । ସେମାନଙ୍କର ପରମାଣୁ  ପରୀକ୍ଷା ୧୫ ବର୍ଷ ପାଇଁ ସ୍ଥଗିତ ରଖାଗଲା । ସାତ ବର୍ଷ ମଧ୍ୟରେ ଅଜିତ ଡୋଭାଲ୍ ପାକିସ୍ତାନର ପ୍ରତ୍ୟେକ ଛୋଟ ଏବଂ ବଡ ଦୁର୍ବଳତା ଜାଣିଯାଇ ଥିଲେ । ଅଜିତ ଡୋଭାଲଙ୍କ ଦ୍ୱାରା ସଂଗୃହିତ ସୂଚନା ଏବଂ ତଥ୍ୟକୁ ଆଧାର କରି ଭାରତ ସରକାର ସମୟ ସମୟରେ ପାକିସ୍ତାନକୁ ଜବାବ ଦେବାରେ ସକ୍ଷମ ହୋଇଛନ୍ତି । ଭାରତୀୟ ସେନା ଦ୍ୱାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଏହାର ସବୁଠାରୁ ବଡ ଉଦାହରଣ ବୋଲି ବିବେଚନା କରାଯାଏ । ଅଜିତ ଡୋଭାଲ୍ ଙ୍କୁ ସର୍ଜିକାଲ ଷ୍ଟ୍ରାଇକ୍ ର ମାଷ୍ଟରପ୍ଲାନର କୁହାଯାଏ । ଏହି କାରଣରୁ ଆଜି ମଧ୍ୟ ପାକିସ୍ତାନ ଅଜିତ ଡୋଭାଲ୍ ଙ୍କ ନାମ ଶୁଣି ଭୟଭୀତ ହୋଇପଡେ ।

ସିକ୍କିମ କୁ ଭାରତର ଏକ ଅଂଶ କରିବା ପାଇଁ ଯେତେବେଳେ ଭାରତ ସରକାର ବହୁତ କଷ୍ଟ କରୁଥିଲେ , ସେତେବେଳେ ଅଜିତ ଡୋଭାଲ୍ ଙ୍କ ରଣନୀତି ଭାରତରେ ସିକ୍କିମ କୁ ମିଶେଇବା ସଫଳତାକୁ ବାସ୍ତବ ରୂପ ଦେଇଥିଲା । ସିକ୍କିମର ରାଜା ଜଣେ ଆମେରିକୀୟ ଝିଅ କୁ ବିବାହ କରିଥିଲେ, କିନ୍ତୁ ସେହି ଝିଅଟି ସିଆଇଏ ଏଜେଣ୍ଟ ଭାବରେ କାମ କରୁଥିଲା । ସିକ୍କିମରେ ଆମେରିକା ନେଇଥିବା ନିଷ୍ପତ୍ତିକୁ ନେଇ ଭାରତ ସରକାର ଅତ୍ୟଧିକ ଚିନ୍ତିତ ଥିଲେ । ଏଠାରେ ମଧ୍ୟ ସିକ୍କିମରୁ ଆମେରିକାର ପ୍ରଭାବକୁ ଉଚ୍ଛେଦ କରିବାର କାର୍ଯ୍ୟ ଅଜିତ ଡୋଭାଲ୍ ଙ୍କୁ ଦିଆଯାଇଥିଲା । ଅଜିତ ଡୋଭାଲ୍ ସେଠାରେ ଥିବା ସ୍ଥାନୀୟ ଲୋକଙ୍କ ସହ ମିଶିବା ଆରମ୍ଭ କରି ଆଞ୍ଚଳିକ ଦଳର ସିକ୍କିମ ନ୍ୟାସନାଲ ପାର୍ଟିର ନେତାଙ୍କୁ ସାଙ୍ଗରେ ନେଇଥିଲେ । ଏହା ପରେ, ଯେତେବେଳେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା , ସିକ୍କିମର ଲୋକମାନେ ଭାରତରେ ଯୋଗଦେବାକୁ ଭୋଟ୍ ଦେଇଥିଲେ ଏବଂ ଏହିପରି ଭାବରେ ଅଜିତ ଡୋଭାଲ୍ ଙ୍କ ରଣନୀତି ହେତୁ ସିକ୍କିମ ଭାରତରେ ଯୋଡି ହେଇଥିଲା ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )