Tuesday 30th April 2024
ଅବଦୁଲ କାଲାମ ଦ୍ବୀପ ….

ଅବଦୁଲ କାଲାମ ଦ୍ବୀପ ….

ଓଡ଼ିଶା ଉପକୂଳରୁ ୧୦ କିମି ଦୂରରେ କଳିଙ୍ଗ ସାଗରରେ ଅବସ୍ଥିତ ଦୁଇ କିଲୋମିଟର ଦୈର୍ଘ୍ୟ ଏବଂ ୩୯୦ ଏକର (୧.୬ ବର୍ଗ କିମି) କ୍ଷେତ୍ରଫଳ ବିଶିଷ୍ଟ ଦ୍ବୀପ ହେଉଛି ହୁଇଲର । ଅଧୁନା ଏହା ଭାରତର ସର୍ବାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ ସ୍ଥଳୀ ଭାବେ ପରିଚୟ ପାଇଛି । ଏହି ଦ୍ବୀପରୁ ଉତକ୍ଷେପଣ ହେଉଥିବା କ୍ଷେପଣାସ୍ତ୍ର ମଧ୍ୟରେ ଅଛି ଅଗ୍ନି, ଆକାଶ, ବ୍ରହ୍ମୋସ, ନିର୍ଭୟ, ପ୍ରହାର, ପୃଥିବୀ, ସୌର୍ଯ୍ୟ, ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା (AAD) ଏବଂ ପୃଥିବୀ – ବାୟୁ ପ୍ରତିରକ୍ଷା (PAD) ।

 

୧୯୮୦ ମସିହା ବେଳକୁ ଭାରତ ସରକାର ଅଗ୍ନି କ୍ଷେପଣାସ୍ତ୍ର ପାଇଁ ଏକ ଅତ୍ୟାଧୁନିକ ପରୀକ୍ଷଣ ସ୍ଥଳ ଅନୁସନ୍ଧାନରେ ଥିଲେ । ୧୯୮୬ରେ ମଧ୍ୟବର୍ତ୍ତିକାଳ ପାଇଁ ଦୁଇଟି କମ୍ପ୍ଲେକ୍ସ ଚାନ୍ଦିପୁରଠାରେ ପ୍ରତିଷ୍ଠା ପରେ ୧୯୯୩ ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, କାଲାମଙ୍କ ଅନୁରୋଧ କ୍ରମେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ହୁଇଲର ଦ୍ବୀପ ପ୍ରଦାନ କରିଥିଲେ । ତା’ପରଠାରୁ ଅବଦୁଲ କାଲାମ କ୍ଷେପଣାସ୍ତ୍ର ବିକଶିତ କରିବାରେ ଭାରତର ଅଗ୍ରଣୀ ବୈଜ୍ଞାନିକ ସାଜି ହୁଇଲର ଦ୍ବୀପକୁ ନିଜ କର୍ମଭୂମି (Theatre of action) କରିଥିଲେ । ତାଙ୍କ ଜୀବନର ଅଧିକାଂଶ ସମୟ ପ୍ରତିରକ୍ଷା ଗବେଷଣାରେ ନିୟୋଜିତ ଥିଲା । ଅନେକ ଶକ୍ତିଶାଳୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରକୁ ପର କରିଥିଲେ । ତାଙ୍କ ତତ୍ତ୍ୱାବଧାନରେ ୧୯୯୩ ମସିହା ନଭେମ୍ବର ୩୦ରେ ସ୍ଥଳଭାଗରୁ ସ୍ଥଳଭାଗ ଲକ୍ଷ୍ୟଭେଦି କ୍ଷେପଣାସ୍ତ୍ର ‘ପୃଥିବୀ’, ମୁଖ୍ୟ ସ୍ଥଳ ଭାଗରୁ ଉତକ୍ଷେପ ହୋଇ ଜନବସତି ଶୁନ୍ୟ ହୁଇଲର ଆଇସଲ୍ୟାଣ୍ଡରେ ଓହ୍ଲାଇଥିଲେ ।

 

ଦ୍ବୀପର ଚାରିପଟେ ଶାନ୍ତ ସମୁଦ୍ର ଓ ବନ୍ୟ ପରିବେଶ ତାଙ୍କୁ ଅନେକ କବିତା ରଚନା କରିବାକୁ ପ୍ରେରଣା ଯୋଗାଇଥିଲା ଯାହା ତାଙ୍କ ଜୀବନୀ ‘ମାଇଁ ଜର୍ଣ୍ଣି (My Journey)’ ରୁ ଜଣାପଡ଼େ ।

ପୂର୍ବରୁ ବ୍ରିଟିଶ କମାଣ୍ଡାଣ୍ଟ ଲ୍ୟୁଟେନାଣ୍ଟ ହୁଇଲରଙ୍କର ନାମ ଅନୁସାରେ ଏହାର ନାମ ହୁଇଲର ହୋଇଥିଲା । ଅବଦୁଲ କାଲାମଙ୍କ ମୃତ୍ୟୁ ପରେ ତାଙ୍କ ସମ୍ମାନାର୍ଥେ ତାଙ୍କ ନାମାନୁସାରେ ଏହି ଆଇସଲ୍ୟାଣ୍ଡର ପୁନଃ ନାମକରଣ ହୋଇଥିଲା । ପ୍ରତିରକ୍ଷା କ୍ଷେତ୍ରରେ କାଲାମଙ୍କ ଉଲ୍ଲେଖନୀୟ ଅବଦାନ, ଏହି ଦ୍ଵୀପରେ ଦୀର୍ଘଦିନ ଅବସ୍ଥାନ, ସେ ସାଉଁଟିଥିବା ସଫଳତାରେ ଏହି ଦ୍ବୀପର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିବାରୁ ୪ ସେପ୍ଟେମ୍ବର ୨୦୧୫ରେ ଏହି କ୍ଷେତ୍ରକୁ ଓଡ଼ିଶା ସରକାର ‘ଅବଦୁଲ କାଲାମ ଆଇସଲ୍ୟାଣ୍ଡ’ରେ ନାମିତ କରିଥିଲେ ।

 

ଵି କେ ସାରସ୍ୱତ, ନୀତି ଆୟୋଗ ସଦସ୍ୟ, ୩୫ ବର୍ଷ ଧରି କାଲାମଙ୍କ ସହଯୋଗୀ କ୍ଷେପଣାସ୍ତ୍ର ବୈଜ୍ଞାନିକ ଥିଲେ ଏବଂ ପରେ ଡିଆରଡିଓ (DRDO) ର ଡ଼ାଇରେକ୍ଟର ଜେନେରାଲ ଅବସ୍ଥାପିତ ହୋଇଥିଲେ । ୧୯୯୩ ମସିହାରେ କାଲାମଙ୍କ ପରାମର୍ଶ କ୍ରମେ ସାରସ୍ୱତ ତାଙ୍କର ସହକର୍ମୀଙ୍କ ସହ ଜନବସତି ଶୁନ୍ୟ ଦ୍ବୀପଟିଏ ଖୋଜୁ ଖୋଜୁ ଏହି ଦ୍ବୀପକୁ ଠାବ କରିଥିଲେ । ସାରସ୍ୱତ ନିଜ ୧୯୯୩ ମସିହାର ଏକ ସ୍ମୃତିକୁ ମନେ ପକାଇ କୁହନ୍ତି ୨୫୦ ଟଙ୍କାରେ ଡଙ୍ଗା ଭଡ଼ା କରି କଳିଙ୍ଗସାଗର ( ଏବେର ବଙ୍ଗୋପସାଗର)ରେ ବାଟବଣା ହୋଇ ସେହି ଦ୍ଵୀପରେ ପହଞ୍ଚିଥିଲେ । ସେଠାରେ ରାତିଟିଏ କଟାଇ କଦଳୀ ଖାଇ ଜୀବନ ରକ୍ଷା କରିଥିଲେ । ଦ୍ବୀପଟି ସ୍ଥଳଭାଗରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ଥିଲା । କାଲାମ ତାଙ୍କ ବହି “Ignited Minds: Unleashing the Power Within India”ରେ ଉଲ୍ଲେଖ କରିଛନ୍ତି, “ସାରସ୍ୱତ ଓ ସାଲବନ ସେହି ଦ୍ବୀପର ଏକ ଗଛରେ ବଙ୍ଗଳାଦେଶର ପତାକା ଦେଖିବାକୁ ପାଇଥିଲେ । ସେହି ଦ୍ବୀପକୁ ବିଦେଶ ଧୀବରଙ୍କ ଆତଯାତ ହେଉଥିବାର ଅନୁମେୟ ହେଉଥିଲା । ମୋ ବନ୍ଧୁମାନେ ସେହି ପତାକାକୁ ତୁରନ୍ତ ହଟାଇଦେଇଥିଲେ ।”

CATEGORIES
TAGS
Share This

COMMENTS

Wordpress (0)
Disqus (0 )