Thursday 25th April 2024
ଚାକିରୀ ପାଇଁ ଚିନ୍ତିତ କି ? ଏଭଳି କଲେ ଆପଣଙ୍କୁ ଶୀଘ୍ର ଚାକିରୀ ଦେବେ ନିଯୁକ୍ତିଦାତା !

ଚାକିରୀ ପାଇଁ ଚିନ୍ତିତ କି ? ଏଭଳି କଲେ ଆପଣଙ୍କୁ ଶୀଘ୍ର ଚାକିରୀ ଦେବେ ନିଯୁକ୍ତିଦାତା !

ବଢୁଥିବା ଜନସଂଖ୍ୟା ପାଇଁ ଆଜି ବେକାରୀ ସମସ୍ୟା ବୃଦ୍ଧି ପାଉଛି । ଦେଶ ହେଉ କିମ୍ୱା ଦେଶ ବାହାରେ ସବୁଆଡେ ଆଜି ଚାକିରୀ ର ଅଭାବ । ଜନସଂଖ୍ୟା ଅନୁସାରେ ଚାକିରୀ ର ସୁଯୋଗ କମ । ପରିଶ୍ରମ କରି ଏତେ ବର୍ଷ ପାଠ ପଢି ଅନେକ ଯୁବକ ଯୁବତୀ ବେକାର ବସିଛନ୍ତି । ବର୍ତ୍ତମାନ ସମୟରେ କିଛି ବ୍ୟକ୍ତି ଚାକିରୀ ଖଣ୍ତେ ପାଇଁ କେତେ ହନ୍ତ ସନ୍ତ ହେଉଛନ୍ତି । ଚାକିରୀ ଗୋଟିଏ କରିବା ବା ଚାକିରୀ ପାଇବା କେତେ କଷ୍ଟ ତାହା ପ୍ରତିଦିନ ଚାକିରୀ ଖୋଜୁଥିବା ଚାକିରୀ ଆଶାୟୀ ଙ୍କୁ ଭଲଭାବେ ଜଣା । ଭଲ ବିଶ୍ୱବିଦ୍ୟାଳୟ କିମ୍ବା ବଡ କଲେଜରେ ପାଠ ପଢି ଭଲ ନମ୍ବର ରଖି ମଧ୍ୟ ଆଜି ଭାରତରେ ଅନେକ ଯୁବକ ଯୁବତୀ ବେକାର ହୋଇ ବସି ରହିଛନ୍ତି । ସତେ ଯେମିତି ପରୀକ୍ଷାର ନମ୍ବର ଏବଂ ଏତେ ବର୍ଷର ପରିଶ୍ରମ ସବୁକିଛି ବୃଥା । ଚାକିରୀ ନପାଇବାର ଅନେକ କାରଣ ଅଛି ।

ସେଥିମଧ୍ୟରୁ ଚାକିରୀ ନ ପାଇବାର ମୁଖ୍ୟ କାରଣ ଗୁଡିକ ହେଲା –

୧) ଚାକିରୀ ଇଣ୍ଟରଭ୍ୟୁ ପାଇଁ ପୂର୍ବ ପ୍ରସ୍ତୁତି ନକରିବା କିମ୍ବା ଭୁଲ ଢଙ୍ଗରେ ପ୍ରସ୍ତୁତି କରିବା ।

 

୨) ଚାକିରୀ ର ପଦବୀ ଅନୁସାରେ ଦକ୍ଷତାର ଅଭାବ ।  

 

୩) ଇଣ୍ଟରଭ୍ୟୁରେ ନିଜ ଦକ୍ଷତା ଏବଂ ପାରଦର୍ଶିତା କୁ ପ୍ରଦର୍ଶିତ କରି ନପାରିବା । 

 

୪) ଇଣ୍ଟରଭ୍ୟୁରେ କଣ କରିବେ ଏବଂ କଣ ନକରିବେ ତା ବିଷୟରେ ଧ୍ୟାନ ନଦେବା ।

 

ଯେକୌଣସି ବିଭାଗ ହେଉନା କାହିଁକି , ସବୁଠି ଚାକିରୀ କରିବା ପାଇଁ ଲାଗିରହିଛି ପ୍ରତିଯୋଗିତା । ଲିଖିତ ପରୀକ୍ଷା ଦେବା ପାଇଁ ପ୍ରାର୍ଥୀମାନେ ପୂର୍ବରୁ ଅଭ୍ୟାସ କରିଥାନ୍ତି । କିନ୍ତୁ ପର୍ସନାଲ ଇଣ୍ଟରଭ୍ୟୁ ବେଳେ ଅଧିକାଂଶ ପ୍ରାର୍ଥୀ ହଡବଡ଼ ହୋଇ ଯାଆନ୍ତି । ଶୀଘ୍ର ଚାକିରୀ ପାଇବାକୁ  କଣ କରିବାକୁ ପଡିବ ? ଚାକିରୀ ଇଣ୍ଟରଭ୍ୟୁ ପାଇଁ କିପରି ନିଜକୁ ପ୍ରସ୍ତୁତ କରିବେ ସେ ବିଷୟରେ ଅନେକ ଚାକିରୀ ଆଶାୟୀ ଜାଣନ୍ତି ନାହିଁ ।  ତେବେ ପର୍ସନାଲ ଇଣ୍ଟରଭ୍ୟୁ ବେଳେ ନିଜକୁ କେମିତି ପ୍ରସ୍ତୁତ କରିବେ ଏବଂ ନିଯୁକ୍ତିଦାତାଙ୍କ ପ୍ରଶ୍ନର କେମିତି ସହଜରେ ଉତ୍ତର ଦେବେ , ସେ ସମ୍ପର୍କରେ ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢିଲେ ଆପଣ ଜାଣିପାରିବେ ।

 

 

ଆସନ୍ତୁ ଜାଣିବା ଚାକିରୀ ଇଣ୍ଟରଭ୍ୟୁ ପାଇଁ କିପରି ନିଜକୁ ପ୍ରସ୍ତୁତ କରିବେ – 

ପ୍ରତ୍ୟେକଟି କାର୍ଯ୍ୟକୁ ସଫଳ କରିବାର ପଛରେ ରହିଥାଏ ପୂର୍ବ ପ୍ରସ୍ତୁତି । ପୂର୍ବ ପ୍ରସ୍ତୁତି ବିନା ଅନେକ କାର୍ଯ୍ୟ ସଫଳ ହୁଏ ନାହିଁ । ତେଣୁ ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବା ପାଇଁ ନିୟନ୍ତୁ ଆବଶ୍ୟକ ପଦକ୍ଷେପ । ସରକାରୀ କିମ୍ବା ବେସରକାରୀ , ସବୁକ୍ଷେତ୍ରରେ ଚାକିରୀ କରିବା ପାଇଁ ଥାଏ ଇଣ୍ଟରଭ୍ୟୁ । ବେସରକାରୀ ଚାକିରୀ  ରେ ପରୀକ୍ଷାର ନମ୍ବର ଅପେକ୍ଷା ଦକ୍ଷତା ଏବଂ କାର୍ଯ୍ୟକାରିତା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ଲିଖିତ ପରୀକ୍ଷାରେ ସମସ୍ତ ପ୍ରଶ୍ନ ଆପଣଙ୍କ ପାଖରେ ଏକାଥରକେ ପହଞ୍ଚିଥାଏ ଏବଂ ଭଲଭାବେ ଚିନ୍ତାକରି ପ୍ରଶ୍ନର ଉତ୍ତର ଦେବାପାଇଁ ସମୟ ମିଳିଥାଏ । କିନ୍ତୁ ଇଣ୍ଟରଭ୍ୟୁ ବା ମୌଖିକ ପରୀକ୍ଷା ପୁରା ଓଲଟା । ଏଥିରେ ପ୍ରତ୍ୟେକଟି ପ୍ରଶ୍ନ ପରିସ୍ଥିତିକୁ ଦେଖି ପଚରାଯାଇଥାଏ । ତେଣୁ ଏଥିରେ ଇଣ୍ଟରଭ୍ୟୁ ବା ସାକ୍ଷାତକାର ର ଅଧିକ ଗୁରୁତ୍ୱ ଥାଏ । ଗୋଟିଏ ଇଣ୍ଟରଭ୍ୟୁରେ ବାର୍ତ୍ତାଳାପ ରୁ ଆରମ୍ଭକରି ପ୍ରଶ୍ନ ଉତ୍ତର ଏବଂ ବିଭିନ୍ନ କଥା ଆଲୋଚନା ହେଇପାରେ । ଇଣ୍ଟରଭ୍ୟୁରେ ଆପଣଙ୍କ ବ୍ୟକ୍ତିତ୍ୱ ଜଣାପଡେ । ତେଣୁ ଆପଣ ଇଣ୍ଟରଭ୍ୟୁ ପାଇଁ ପୂର୍ବ ପ୍ରସ୍ତୁତି କରିବା ନିହାତି ଦରକାର । ଲିଖିତ ପରୀକ୍ଷା ପରି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । କେବଳ ଗୋଟିଏ ଇଣ୍ଟରଭ୍ୟୁ ଆପଣଙ୍କୁ ଚାକିରୀ ଦେଇପାରେ । 

ଆପଣ ଯେପରି ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି ସେପରି ଏହାକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଅନ୍ତୁ । କାହିଁକିନା ନିଯୁକ୍ତିକାରୀ ଟିମ୍  ଭାବିବା ପାଇଁ ମଧ୍ୟ ସମୟ ଦିଅନ୍ତି ନାହିଁ । ଯଦି ଆପଣ ଭାବି ଭାବି ଚୁପ୍ ରହିଯିବେ ,ତେବେ କିଛି କ୍ଷଣ ମଧ୍ୟରେ ଆପଣଙ୍କ ସମ୍ମୁଖରେ ଏକ ନୁତନ ପ୍ରଶ୍ନ ଥିବ । ଭାବିବାର ସମୟ ସୀମା କୁ ଆପଣ ବୃଦ୍ଧି କରିପାରିବେ ନାହିଁ । ତେଣୁ ଇଣ୍ଟରଭ୍ୟୁ ସମ୍ବନ୍ଧିତ ପ୍ରତ୍ୟେକଟି ପ୍ରଶ୍ନ ପାଇଁ ଆଗରୁ ଉତ୍ତର ଭାବିକି ରଖନ୍ତୁ । ଉତ୍ତର ଟି ଯେପରି ଯୁକ୍ତି ସମ୍ମତ ହେବା ନିହାତି ଦରକାର ।

୧ ) ଇଣ୍ଟରଭ୍ୟୁ ପୂର୍ବରୁ କମ୍ପାନୀ ବିଷୟରେ ନିହାତି ଅନୁସନ୍ଧାନ କରନ୍ତୁ –

ଆପଣ ଯେଉଁ କମ୍ପାନୀ କୁ ଇଣ୍ଟରଭ୍ୟୁ ଦେବାକୁ ଯିବେ ବା ଯାଉଛନ୍ତି , ତା ବିଷୟରେ ନିହାତି ଅନୁସନ୍ଧାନ କରନ୍ତୁ । କମ୍ପାନୀ ର ପ୍ରୋଫାଇଲ୍ ଆପଣଙ୍କୁ ନିହାତି ଜଣାଥିବା ଦରକାର । କମ୍ପାନୀ ବିଷୟରେ ଆପଣ ଯାହାକିଛି କରିପାରିବେ ତାହା ଶିଖିବାକୁ କିଛି ସମୟ ନିହାତି ଦିଅନ୍ତୁ । କମ୍ପାନୀ ବିଷୟରେ  ଯେତେ ସମ୍ଭବ ସେତେ ସୂଚନା ସଂଗ୍ରହ କରନ୍ତୁ । କେତେ ଜଣ ପୂର୍ବରୁ ସେହି କମ୍ପାନୀରେ ଥିଲେ ଏବଂ କେତେ ଜଣ ସେହି କମ୍ପାନୀରେ ବର୍ତ୍ତମାନ ଅଛନ୍ତି , ତା ବିଷୟରେ ଅନୁସନ୍ଧାନ କରନ୍ତୁ । କମ୍ପାନୀ କେତେ ଜଣଙ୍କୁ ଚାକିରୀରୁ ବାହାର କରିଦେଇଛି ଏବଂ ସେମାନେ କେଉଁ ପଦବୀରେ ଥିଲେ ସେ ବିଷୟରେ ଅନୁସନ୍ଧାନ କରନ୍ତୁ । ଆପଣ ଯଦି ଏସବୁ ବିଷୟରେ ଆଗରୁ ଜାଣିପାରିବେ ତେବେ ଆପଣ ସେହି ହିସାବରେ ଇଣ୍ଟରଭ୍ୟୁରେ ଉତ୍ତର ରଖିବେ । ଆପଣ ଜାଣି ରଖିବା ଦରକାର ଯେ , ସେହି କମ୍ପାନୀରେ ସର୍ବନିମ୍ନ ଦରମା କେତେ ଏବଂ କେଉଁ କର୍ମଚାରୀ ସର୍ବାଧିକ ପାଉଛନ୍ତି । ସେହି ଅନୁପାତରେ ନିଜ ଦକ୍ଷତା ଅନୁଯାଇ ଆପଣ ଦରମା ଡିମାଣ୍ଡ ବା ଆଲୋଚନା କରିବେ ।

କମ୍ପାନୀ ବିଷୟରେ ଆପଣ ଓ୍ୱେବସାଇଟ୍ , ସୋସିଆଲ୍ ମିଡିଆ ଏବଂ ଲିଙ୍କଡ୍ ଇନ୍ ରୁ ପାଇପାରିବେ । କିନ୍ତୁ ବଡ କମ୍ପାନୀର  ଆଭ୍ୟନ୍ତରୀଣ ତଥ୍ୟ ପାଇବା ଭାରି କଷ୍ଟଯଦି ଆପଣ ସେହି କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିବା କିମ୍ବା ପୂର୍ବରୁ ଇଣ୍ଟର୍ନସିପ୍ କରିସାରିଥିବା କୌଣସି ପିଲା କୁ ପଚାରିବେ , ତେବେ ଏ ବିଷୟରେ ମଧ୍ୟ ଅନେକ ତଥ୍ୟ ପାଇ ପାରିବେ । ଯଦି ଆପଣଙ୍କ ସଂମ୍ପର୍କ ଭଲ ଥାଏ ତାହେଲେ ତଥ୍ୟ ଶୀଘ୍ର ପାଇବେ । ଆପଣ ଏସବୁ ଇଣ୍ଟରଭ୍ୟୁ ଆଗରୁ ଜାଣିପାରିଲେ ଭଲ କମ୍ପାନୀରେ ଶୀଘ୍ର ଚାକିରୀ ପାଇବାର ସୁଯୋଗ ପାଇବେ । 

କମ୍ପାନୀ ବିଷୟରେ ଜ୍ଞାନ ଥିଲେ , ଏହା କମ୍ପାନୀ ପ୍ରତି ଆପଣଙ୍କ ଆଗ୍ରହକୁ ସୂଚିତ କରିବ । କମ୍ପାନୀ ର ନିଯୁକ୍ତିଦାତା ଏହାକୁ ନିହାତି ଧ୍ୟାନ ଦେବେ । ଯେକୌଣସି କମ୍ପାନୀ ପାଇଁ ଏହା ଆପଣଙ୍କ ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ କମ୍ପାନୀ ବିଷୟରେ ଜ୍ଞାନ ଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବା ସମ୍ଭାବନା ଅଧିକ ଥାଏ । ଇଣ୍ଟରଭ୍ୟୁ ରେ ସଫଳ ହେବାରେ ସର୍ବୋତ୍ତମ ଉପାୟ ହେଉଛି କମ୍ପାନୀ ର ବର୍ତ୍ତମାନ ର ପରିସ୍ତିତି ଗୁଡିକୁ ପୂର୍ବରୁ ଅଧ୍ୟୟନ କରିବା ଏବଂ ଇଣ୍ଟରଭ୍ୟୁ ପାଇଁ ଯିବା । 

୨) ଆପଣ ଆବେଦନ କରୁଥିବା ଚାକିରୀ ର ପଦବୀ ବିଷୟରେ ଜାଣନ୍ତୁ –

ଚାକିରୀ ର ପଦବୀ ଅନୁସାରେ ଯୋଗ୍ୟତା ଏବଂ ଦକ୍ଷତା ର ଆବଶ୍ୟକତା ଥାଏ । ଚାକିରୀ ପଦବୀର ଦାଇତ୍ୱ ଏବଂ ଚାକିରୀ ପାଇଁ ଆବଶ୍ୟକ ଥିବା ଦକ୍ଷତା କୁ ଇଣ୍ଟରଭ୍ୟୁ ଆଗରୁ ଜାଣିପାରିଲେ ଆପଣ ପୂର୍ବ ପ୍ରସ୍ତୁତି ଠିକ ଢଙ୍ଗରେ କରିପାରିବେ। ଆପଣ କେଉଁ ଚାକିରୀ ପାଇଁ ଆବେଦନ କରୁଛନ୍ତି ତା ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିରଖନ୍ତୁ । ଇଣ୍ଟରଭ୍ୟୁ ପାଇଁ ଆପଣଙ୍କୁ ଡାକିଲା ପରେ , ଇଣ୍ଟରଭ୍ୟୁ ରେ କଣ ପଚାରାଯିବ ତାହା ଅଜଣା ଥାଏ । କିଏ ଇଣ୍ଟରଭ୍ୟୁ ନେବେ ତାହା ମଧ୍ୟ ଜଣା ନଥାଏ । ତେଣୁ ଆପଣ ଯଥା ସଂମ୍ଭବ ଚାକିରୀ ର ପୋଜିସନ୍ ବା ପଦବୀ ବିଷୟରେ ଅନୁସନ୍ଧାନ କରି ଇଣ୍ଟରଭ୍ୟୁ କୁ ଯାଆନ୍ତୁ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଧ୍ୟାନ ଦେଲେ ଆପଣ ଚାକିରୀ ର ପଦବୀ ବିଷୟରେ ପଚାରାଯାଇଥିବା ପ୍ରଶ୍ନର ଉତ୍ତର ଭଲଭାବରେ ଦେଇପାରିବେ ।

୩ ) ଇଣ୍ଟରଭ୍ୟୁ ଆଗରୁ ଜାଣିରଖନ୍ତୁ ଯେ କିଏ ଆପଣଙ୍କର ଇଣ୍ଟରଭ୍ୟୁ ନେବେ ?

ଇଣ୍ଟରଭ୍ୟୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଭୟ କମ୍ପାନୀ ଏବଂ ପ୍ରାର୍ଥି ପାଇଁ ଇଣ୍ଟରଭ୍ୟୁ ଶବ୍ଦଟିର ଅର୍ଥ ଭିନ୍ନ ଭିନ୍ନ ହେଇଥାଇପାରେ । କିନ୍ତୁ ପ୍ରାର୍ଥି ପାଇଁ ଇଣ୍ଟରଭ୍ୟୁ ଶବ୍ଦଟି ଯେତିକି ଗୁରୁତ୍ୱପୂର୍ଣ୍ଣ , କମ୍ପାନୀ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଇଣ୍ଟରଭ୍ୟୁରେ ସଫଳ ହେଲେ ପ୍ରାର୍ଥିଟି ଚାକିରୀ ପାଏ ସତ , କିନ୍ତୁ ତାସହ କମ୍ପାନୀ ଗୋଟିଏ ଯୋଗ୍ୟ ବ୍ୟକ୍ତି ପାଏ । ଯେଉଁଥିରେ କମ୍ପାନୀ ତାର ଉନ୍ନତି ଦେଖେ । ତେଣୁ ପ୍ରାର୍ଥିର ପ୍ରତ୍ୟେକଟି ତଥ୍ୟକୁ ଧ୍ୟାନ ଦେଇଥାଏ ନିଯୁକ୍ତି ଦାତା । ରିଜୁମ୍ କୁ ସଠିକ୍ ଭାବରେ ଅନୁଧ୍ୟାନ କରିଥାଏ ନିଯୁକ୍ତିଦାତା । ସେହିପରି କମ୍ପାନୀର ପ୍ରୋଫାଇଲ୍ କୁ ଅନୁଧ୍ୟାନ କରିବା ସହ ଆପଣ ଏଚଆର ବା ନିଯୁକ୍ତିଦାତାଙ୍କର ଲିଙ୍କଡ୍ ଇନ୍ ପ୍ରୋଫାଇଲ୍ କୁ ଅନୁଧ୍ୟାନ କରନ୍ତୁ । ତାଙ୍କର କେଉଁ କମ୍ପାନୀରେ କେତେ ଅଭିଜ୍ଞତା ଅଛି ତାକୁ ଭଲ ଭାବରେ ଦେଖନ୍ତୁ । ଇଣ୍ଟରନେଟ୍ ରେ ତାଙ୍କ ନାଁ ସର୍ଚ୍ଚ କରି , ତାଙ୍କ ବିଷୟରେ ତଥ୍ୟ ଖୋଜନ୍ତୁ । ତାଙ୍କର ସୋସିଆଲ୍ ମିଡିଆର କଣ୍ଟାକ୍ଟ ଏବଂ ରିଚ୍ କୁ ଦେଖନ୍ତୁ । ଏସବୁ ଜାଣିଲେ ଆପଣ ଉତ୍ତମ ରୂପରେ ପ୍ରସ୍ତୁତି କରିପାରିବେ ଇଣ୍ଟରଭ୍ୟୁ ପାଇଁ । ଇଣ୍ଟରଭ୍ୟୁ ଆଗରୁ ଆପଣଙ୍କର ଡର ଭାଙ୍ଗିଯିବ ।

 

ନିଯୁକ୍ତିଦାତା ଙ୍କୁ କିପରି ବିଶ୍ୱାସ ଦେବେ ଯେ ଆପଣ ହିଁ ଯୋଗ୍ୟ ପ୍ରାର୍ଥି ? –

ଦୁନିଆରେ ପ୍ରତ୍ୟେକଟି ଜିନିଷ ବିଶ୍ୱାସରେ ଚାଲେ । ବିଶ୍ୱାସ ନ କଲେ କୌଣସି କାର୍ଯ୍ୟ କରିବା ଅସମ୍ଭବ ପରି ମନେ ହୁଏ । ଇଣ୍ଟରଭ୍ୟୁକୁ ଗଲାବେଳେ ସମସ୍ତ ପ୍ରାର୍ଥି ବିଶ୍ୱାସର ସହ ଯାଇଥାନ୍ତି । ବିଶ୍ୱାସ ଏହା ଥାଏ ଯେ, ଇଣ୍ଟରଭ୍ୟୁ ପରେ ଚାକିରୀ ମିଳିଯିବ । କମ୍ପାନୀକୁ ମଧ୍ୟ ବିଶ୍ୱାସ ଥାଏ ଯେ କେହି ଜଣେ ଭଲ ଯୋଗ୍ୟ ପ୍ରାର୍ଥି କମ୍ପାନୀ ପାଇଁ ମିଳିଯିବେ । ଯାହାର ବ୍ୟବହାର ଭଲଥିବ , ଯିଏ ମାଦକ ଦ୍ରବ୍ୟ ଖାଉନଥିବେ , ସମୟାନୁବର୍ତ୍ତିତା ଥିବେ ଏବଂ ଅଭିଜ୍ଞତା ଭଲ ଥିବ । ତେବେ ଏହି ସବୁକୁ ଗୁରୁତ୍ୱ ଦେଇ ଇଣ୍ଟରଭ୍ୟୁ ଦ୍ୱାରା ପ୍ରାର୍ଥି ଖୋଜନ୍ତି ନିଯୁକ୍ତିଦାତା । ପ୍ରାର୍ଥିଙ୍କୁ ଇଣ୍ଟରଭ୍ୟୁରେ ବହୁତ କମ୍ ସମୟ ମିଳେ ନିଜକୁ ପ୍ରଦର୍ଶିତ କରିବା ପାଇଁ । ତେଣୁ ଅନେକ ପ୍ରାର୍ଥି ହଡବଡ ହେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ନିଯୁକ୍ତିଦାତାଙ୍କ ପାଖରେ ରଖିପାରନ୍ତି ନାହିଁ କିମ୍ବା ଭୁଲିଯାଆନ୍ତି । କିଛି ଭାବିଥାନ୍ତି ଏବଂ ଅନ୍ୟକିଛି କରନ୍ତି ।

୧) ଆତ୍ମବିଶ୍ୱାସ ଉପରେ ଗୁରୁତ୍ୱ –

ଆତ୍ମବିଶ୍ୱାସକୁ ଦୃଢକରି ଇଣ୍ଟରଭ୍ୟୁକୁ ଯିବା ଉଚିତ୍ । ଆପଣଙ୍କ ଆତ୍ମବିଶ୍ୱାସ ନିଯୁକ୍ତିଦାତାଙ୍କୁ ଆକର୍ଷିତ କରିବ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ଆଗରୁ କଣ କରିଛନ୍ତି ? ଏବଂ  ଆପଣ ଏବେ କଣ କରୁଛନ୍ତି ? ତାହା ଆପଣଙ୍କୁ ଇଣ୍ଟରଭ୍ୟୁରେ ପଚାରାଯିବ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଆଗରୁ କରିଥିବା କିଛି କାମର ଉଦାହରଣ ତାଙ୍କୁ ଦେଖାନ୍ତୁ । ଆଉ ଯଦି କିଛି କରିନାହାନ୍ତି ତେବେ ଆପଣଙ୍କ ଦକ୍ଷତାକୁ ଏପରି ଭାବେ ପ୍ରଦର୍ଶନ କରନ୍ତୁ , ଯେପରି ନିଯୁକ୍ତିଦାତା ସେଥିରେ ଆର୍କଷିତ ହେଇଯିବେ । ଆପଣଙ୍କ ଦକ୍ଷତା ଏପରିଥିବା ଦରକାର ଯେପରି ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ସାମ୍ନାରେ ଏହା ଅଧିକ ଆକର୍ଷିତ ଲାଗିବ । ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ର ଅଧିକ ଅଭିଜ୍ଞତା ସମ୍ମୁଖରେ ଆପଣଙ୍କ ଦକ୍ଷତା ଦୃଢ ଭାବରେ ଠିଆ ହେଇ ରହିବ ।

୨) ଆକର୍ଷଣୀୟ ବ୍ୟକ୍ତିତ୍ୱ – 

ଆକର୍ଷିତ ବ୍ୟକ୍ତିତ୍ୱ ସବୁବେଳେ ସମସ୍ତଙ୍କୁ ଆକର୍ଷିତ କରେ । ଆପଣଙ୍କ ବଡି ଲାଙ୍ଗୁଏଜ୍ ଆପଣଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ । ବଡି ଲାଙ୍ଗୁଏଜ୍ ସ୍ମାର୍ଟ ଥିଲେ ଆପଣ ସ୍ମାର୍ଟ ଲାଗିବେ ।  ସ୍ମାର୍ଟ ବଡିଲାଙ୍ଗୁଏଜ୍ ଇଣ୍ଟରଭ୍ୟୁ ରେ ନିଯୁକ୍ତିଦାତା ଙ୍କୁ ଆକର୍ଷଣ କରିଥାଏ । ଯାହାଫଳରେ ଆପଣଙ୍କ ଇଣ୍ଟରଭ୍ୟୁ ରେ ସଫଳ ହେବାର ସଂମ୍ଭାବନା ଅଧିକ ଥାଏ । ଚାକିରୀ ର ଆବଶ୍ୟକତାକୁ ଅଧିକ ଦର୍ଶାନ୍ତୁ ନାହିଁ । ସ୍ୱାଭିମାନୀ ହୁଅନ୍ତୁ । ନିଜ ଦକ୍ଷତାକୁ ନେଇ ସତ କଥା କୁହନ୍ତୁ । ଯେତିକି ଦରକାର ସେତିକି ମୁହଁ ଖୋଲନ୍ତୁ । ନିଯୁକ୍ତିଦାତା ଙ୍କ ସମ୍ମୁଖରେ ଆପଣଙ୍କ ର ଟଙ୍କା ର ଆବଶ୍ୟକତାକୁ ଅଧିକ ପରିପ୍ରକାଶ କରନ୍ତୁ ନାହିଁ । କେବଳ କାମର କଥା ହୁଅନ୍ତୁ । ବ୍ୟକ୍ତିଗତ ନୁହଁ ବୃତ୍ତିଗତ କଥା ହୁଅନ୍ତୁ । ଯାହା ନିଯୁକ୍ତିଦାତା ଙ୍କୁ ବିଶ୍ୱାସ ଦେବ ଯେ ଆପଣ ହିଁ ଯୋଗ୍ୟ ପ୍ରାର୍ଥି । 

୩ ) ଅଧିକ ଅଭିଜ୍ଞତା ନଥିଲେ ଅଧିକ ଦରମା ଦାବି କରନ୍ତୁ ନାହିଁ –

ଟଙ୍କା ସମସ୍ତଙ୍କୁ ଦରକାର । ଟଙ୍କା ପାଇଁ ସମସ୍ତେ ଚାକିରୀ କରୁଛନ୍ତି । ଟଙ୍କା ରୋଜଗାର କଲେ ଆପଣ ଆତ୍ମନିର୍ଭରଶୀଳ ହେଇପାରିବେ ।ଇଣ୍ଟରଭ୍ୟୁରେ ନିଯୁକ୍ତିଦାତା ଅଭିଜ୍ଞତା ବିଷୟରେ ପଚାରିବା ସ୍ୱାଭାବିକ । ଯାହାର ଯେତେ ଅଭିଜ୍ଞତା ତାକୁ ସେତେ ଏକ୍ସପର୍ଟାଇଜ ବୋଲି ଧରାଯାଏ । କିନ୍ତୁ ଏହା ପ୍ରକୃତରେ ସତ ନୁହଁ । କିନ୍ତୁ ପରିସ୍ଥିତି ଏବଂ କମ୍ପାନୀ ର ଟର୍ଣ୍ଣଓଭର ବା ସ୍ଟଟସ୍ କୁ ଦେଖି ନିଜର ଦରମା କଥା କୁହନ୍ତୁ । କାମ ଅନୁସାରେ ଦରମାଦାବି କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ପ୍ରେସର ହେଇଥିଲେ ଅଧିକ ଦରମା ଦାବି କରନ୍ତୁ ନାହିଁ । ଅତିକମରେ କାମ କରନ୍ତୁ ନାହିଁ କିମ୍ବା ଅତି ବେଶି ଦରମା ଦାବି କରନ୍ତୁ ନାହିଁ । କିଛି ବର୍ଷପରେ ଆପଣଙ୍କ ଅଭିଜ୍ଞତା ବଢିବ । ତାପରେ ଆପଣବି ପାଇବେ ପଦୋନ୍ନତି । ଦରମା ଦାବି କରିପାରିବେ ।

୪ ) ଇଣ୍ଟରଭ୍ୟୁରେ କଣ ପିନ୍ଧିବେ ?

କେବେବି ମର୍ଡନ ଡ୍ରେସ ପିନ୍ଧି ଭୁଲ କରନ୍ତୁ ନାହିଁ । କେବଳ ଫର୍ମାଲ କିମ୍ବା ଫର୍ମାଲ କଟନ ପିନ୍ଧନ୍ତୁ । ଯେତେ ସିମ୍ପଲ୍ ବା ସରଳ ରହିବେ ସେତେ ଭଲ ହେବ । ଆପଣଙ୍କ ଦକ୍ଷତା ହିଁ ଆପଣଙ୍କ ପରିଚୟ । ତେଣୁ ଦକ୍ଷତା କୁ ଭଲ ଭାବରେ ପ୍ରଦର୍ଶିତ କରନ୍ତୁ ଏବଂ ଶୀଘ୍ର ଚାକିରୀ ପାଆନ୍ତୁ  । 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )