Friday 29th March 2024
କ୍ୟାରିୟର ଏବଂ ଜୀବନକୁ ନେଇ ସବୁବେଳେ ଚିନ୍ତାରେ ରହୁଛନ୍ତି କି ? ଏହି କୋଟ୍ସ ଗୁଡିକ ଆପଣଙ୍କୁ ପ୍ରେରଣା ଦେବ !

କ୍ୟାରିୟର ଏବଂ ଜୀବନକୁ ନେଇ ସବୁବେଳେ ଚିନ୍ତାରେ ରହୁଛନ୍ତି କି ? ଏହି କୋଟ୍ସ ଗୁଡିକ ଆପଣଙ୍କୁ ପ୍ରେରଣା ଦେବ !

ଜୀବନ ର ବିଭିନ୍ନ ଅର୍ଥ ଅଛି । କିଏ ଜୀବନକୁ କେଉଁ ଢଙ୍ଗରେ ଦେଖୁଛି ତାହା ବ୍ୟକ୍ତି ଏବଂ ସେହି ବ୍ୟକ୍ତିର ପରିସ୍ଥିତି ଉପରେ ନିର୍ଭର କରେ । କାହାପାଇଁ ଜୀବନ ଏକ ଉପଭୋଗର ମାଧ୍ୟମ । ପୁଣି କାହାପାଇଁ ଏହା ଏକ ପ୍ରକାର ର ଲକ୍ଷ୍ୟ । ମନୁଷ୍ୟର ପରିସ୍ଥିତି ଅନୁସାରେ ଜୀବନର ସଂଜ୍ଞା ପରିବର୍ତ୍ତନ ହୋଇଥାଏ । କେବଳ ନିଃଶ୍ୱାସ ପ୍ରଶ୍ୱାସ ନେଇ ବଞ୍ଚିବା ମଣିଷ ଜୀବନର ସଂଜ୍ଞା ନୁହେଁ । ପଶୁ ଯେମିତି ବଞ୍ଚେ , ମଣିଷ ସେମିତି ବଞ୍ଚେ ନାହିଁ । ମଣିଷ ଜୀବନ ସୁଖ ଖୋଜେ , ଆନନ୍ଦ ଖୋଜେ । କିଛି ମନୁଷ୍ୟ ମାନଙ୍କ ମତରେ ମଣିଷ ସବୁବେଳେ ସ୍ୱାଭିମାନ ଓ ମଣିଷପଣିଆକୁ ନେଇ ବଞ୍ଚିବା ଦରକାର । ଅନ୍ୟ କିଛି ମନୁଷ୍ୟ ମାନଙ୍କ ମତରେ ସ୍ୱାର୍ଥପର ହେଇ ବଞ୍ଚିବା ଦରକାର । ମନୁଷ୍ୟ ସମାଜରେ ମତ ପାର୍ଥକ୍ୟ ଲାଗି ରହିଥାଏ । ଘର ଏବଂ ଘର ବାହାରେ ମତ ଏବଂ ମତାନ୍ତର ଏକ ସାଧାରଣ କଥା । ଜୀବନ ର ଅର୍ଥ ସମସ୍ତଙ୍କ ମତରେ ଭିନ୍ନ ଭିନ୍ନ । ପ୍ରତ୍ୟେକ ମଣିଷର ଜୀବନଚର୍ଯ୍ୟା ତା ଜୀବନ ର ଷ୍ଟାଟସ୍ କୁ ଦର୍ଶାଇଥାଏ । ରୋଜଗାର ଅଧିକ ଥିଲେ ଜୀବନଚର୍ଯ୍ୟା ବିଳାସପୂର୍ଣ୍ଣ ହୋଇଥାଏ । ଅନେକ ଲୋକ ଟଙ୍କା ଅଭାବରେ ପ୍ରତ୍ୟେକ ଦିନ ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ବାହାରେ ବୁଲି ବୁଲି ଭିକ ମାଗି କିମ୍ବା କଠିନ ପରିଶ୍ରମ କରି ପେଟ ପୋଷୁଛନ୍ତି । ଟଙ୍କାର ଅଭାବ ମଣିଷ କୁ କାଙ୍ଗାଳ କରେ ଏବଂ ଟଙ୍କାର ପ୍ରାଚୁର୍ଯ୍ୟ ମଣିଷର ଆର୍ଥିକ ସ୍ଥିତି ମଜଭୁତ କରେ । ତେବେ ପ୍ରତ୍ୟେକ ଦିନ ମଣିଷ ଜୀବନରେ ଟଙ୍କାର ଆବଶ୍ୟକତା ରହିଛି । ଗୋଟିଏ ମଣିଷ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଟଙ୍କାର ଆବଶ୍ୟକତା କୁ ଅନୁଭବ କରିଥାଏ । କେତେ ଲୋକଙ୍କ ମତରେ ଟଙ୍କା ହିଁ ଜୀବନପୁଣି କେତେ ଲୋକ କହନ୍ତି ଟଙ୍କା ଠାରୁ ସମୟ ର ମୂଲ୍ୟ ଅଧିକଏସବୁ କଥାକୁ ଶୁଣି କ୍ୟାରିୟର ଆରମ୍ଭ କରୁଥିବା ବ୍ୟକ୍ତି ଜଣଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୁଏ । ଜଣେ ମିଡିଲ୍ କ୍ଲାସ୍ ପିଲା ବା ମଧ୍ୟବିତ୍ତ ପରିବାର ର ପିଲା ପାଇଁ ଭଲ ଭାବରେ କ୍ୟାରିୟର ଗଢିବା ଏକ ସ୍ୱପ୍ନ ପରି ମନେ ହୁଏ । ମିଡିଲ୍ କ୍ଲାସ୍ ପିଲା ବା ମଧ୍ୟବିତ୍ତ ପରିବାର ର ପିଲା ପାଖରେ ସ୍ୱଳ୍ପ ଅର୍ଥରାଶି ର ବଜେଟ୍ ଥାଏ । ସେହି ବଜେଟ୍ ରେ କ୍ୟାରିୟର ଗଢିବା ର ସ୍ୱପ୍ନ ଦେଖିବା ପାଇଁ ସେ ଭୟ କରେ । କାଳେ ସେହି ଟଙ୍କା ଗୁଡିକ ଭୁଲ ରାସ୍ତାରେ ଖର୍ଚ୍ଚ ହେଇଯିବ କି ବୋଲି ମନରେ ପ୍ରଶ୍ନ ଉଠେ । ଦରିଦ୍ର ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସରକାରୀ ସ୍କିମ୍ ଥାଏ । ଚାକିରୀ ପାଇଁ ଥିବା ଅନେକ ପ୍ରବେଶିକା ପରୀକ୍ଷାରେ ପରୀକ୍ଷା ଶୁଳ୍କ ବା ଏକ୍ସାମ୍ ଫି ମାଗଣା ଥାଏ । କିନ୍ତୁ ଏସବୁ ସୁବିଧା ଅସୁବିଧା କୁ ଦେଖି ମଧ୍ୟବିତ୍ତ ଶ୍ରେଣୀ ର ପିଲା ଟି ଡରିଯାଇଥାଏ । ଏମିତିବି ଧନୀ ଘର ର ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନେ ନିଜ ଷ୍ଟାଟପ୍ ବା ନୁଆ କରି ଆରମ୍ଭ କରୁଥିବା ବ୍ୟବସାୟରେ ଖୁସି ନଥାନ୍ତି । ଅନେକ ଧନୀ ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନେ ତାଙ୍କ ବିଜନେସ୍ କ୍ୟାରିୟର କୁ ନେଇ ଚିନ୍ତାରେ ଅଛନ୍ତି । କ୍ୟାରିୟର ଏବଂ ଜୀବନ କୁ ନେଇ ଚିନ୍ତାରେ ରହିବା ସ୍ୱାଭାବିକ । ଆପଣ କେମିତି କ୍ୟାରିୟର ଏବଂ ଜୀବନ କୁ ନେଇ ଚିନ୍ତାମୁକ୍ତ ରହିବେ ତାହା ଏହି ଆର୍ଟିକିଲ୍ ରେ ଦିଆଯାଇଛି । ଏମିତି କିଛି କୋଟ୍ସ ବା ପ୍ରେରଣାଦାୟକ ଲେଖା ଅଛି , ଯାହା ଆପଣଙ୍କ ମନକୁ ଶାନ୍ତ କରିବା ସହ କ୍ୟାରିୟର ଗଢିବା ପାଇଁ ଦେଖାଇବ ଠିକ୍ ରାସ୍ତା । ଆର୍ଟିକିଲ୍ ଟିକୁ ଶେଷ ଯାଏ ପଢିଲେ ଆପଣ ଜାଣିପାରିବେ ।

 

ଜୀବନ ଏବଂ କ୍ୟାରିୟର ପାଇଁ ପ୍ରେରଣା ଦେଉଥିବା କିଛି ଲେଖା –

୧) ” ଆମ ସମସ୍ତଙ୍କର ସମାନ ପ୍ରତିଭା ନାହିଁ । କିନ୍ତୁ ,  ପ୍ରତିଭାର ବିକାଶ ପାଇଁ ଆମ ସମସ୍ତଙ୍କର ପାଖରେ ସମାନ ସୁଯୋଗ ରହିଛି । ” – ଏପିଜେ ଅବଦୁଲ କଲାମ୍ 

ଏହା କହିବା ଠିକ୍ ଯେ ଆମେ ସମସ୍ତେ ବିଭିନ୍ନ ପ୍ରତିଭା ଏବଂ ଦକ୍ଷତା ସହିତ ଜନ୍ମଗ୍ରହଣ କରନ୍ତି । କିନ୍ତୁ ଆମର ପ୍ରତିଭା ବିକାଶ ପାଇଁ ଆମର ସମାନ ସୁଯୋଗ ରହିଥାଏ । କଠିନ ପରିଶ୍ରମ ଏବଂ ନିଷ୍ଠା ମାଧ୍ୟମରେ ଆମେ ସେହି ପ୍ରତିଭା ଉପରେ ଉନ୍ନତି ବା ଅଗ୍ରଗତି କରିପାରିବା । ଆମର ଅନନ୍ୟ ଶକ୍ତି ଏବଂ ଦୁର୍ବଳତାକୁ ଚିହ୍ନିବା ଏବଂ ସ୍ୱୀକାର କରିବା ଏକାନ୍ତ ଆବଶ୍ୟକ । ସେହିଭଳି ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କର ନିଜର ପ୍ରତିଭା ଏବଂ ଦକ୍ଷତା ଅଛି । ଏହା କେବଳ ଶ୍ରେଣୀଗୃହ ରେ ନୁହଁ ବରଂ ଖେଳ ପଡିଆରେ ଦେଖାଯାଇପାରେ । ଯେଉଁଠାରେ ସମସ୍ତ ଛାତ୍ରଛାତ୍ରୀ ସମାନ ଢଙ୍ଗରେ କାର୍ଯ୍ୟକାରୀତା ଏବଂ ଦକ୍ଷତା ପ୍ରଦର୍ଶିତ କରିପାରନ୍ତି ନାହିଁ । କାରଣ ଯିଏ ଖେଳରେ ଭଲ କରେ ସିଏ ପାଠରେ ସେତେଟା ଭଲ କରିନପାରେ । ତେଣୁ ଭାରତର ବିଶିଷ୍ଟ ବୈଜ୍ଞାନିକ ଏବଂ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମ୍ କହିଛନ୍ତି -” ଆମ ସମସ୍ତଙ୍କର ସମାନ ପ୍ରତିଭା ନାହିଁ । କିନ୍ତୁ, ଆମର ପ୍ରତିଭାର ବିକାଶ ପାଇଁ ଆମ ସମସ୍ତଙ୍କର ସମାନ ସୁଯୋଗ ରହିଛି ” । ତେଣୁ ସେହି ସୁଯୋଗର ସଦଉପଯୋଗ କରନ୍ତୁ । ଅନେକ ବିଫଳତା ପରେ ମଧ୍ୟ କ୍ୟାରିୟର ଏବଂ ଜୀବନ ରେ ସବୁବେଳେ ସଫଳ ହେବେ ।

 

୨)“ଯଦି ଆପଣ ସନ୍ତୁଷ୍ଟତା ସହିତ ଶୋଇବାକୁ ଯାଉଛନ୍ତି ତେବେ ଆପଣ ପ୍ରତିଦିନ ସକାଳେ ନିଷ୍ଠାର ସହ ଉଠିବାକୁ ପଡିବ । ” –  ଜର୍ଜ ଲୋରିମର୍ 

ଶାନ୍ତିରେ ସେହି ବ୍ୟକ୍ତି ଶୋଇପାରେ ଯାହାର ଚିନ୍ତା ନଥାଏ କିମ୍ବା ଚିନ୍ତାର ପରିମାଣ କମ୍ ଥାଏ । କମ୍ ଚିନ୍ତା ଥିଲେ ମସ୍ତିଷ୍କ ରେ କମ୍ ଚାପ ସୃଷ୍ଟି ହୋଇଥାଏ ଏବଂ ଷ୍ଟ୍ରେସ୍ ହରମୋନ୍ କମ ପରିମାଣରେ ରିଲିଜ୍ ହୋଇଥାଏ । ତେଣୁ ଶାନ୍ତିରେ ନିଦ ହୁଏ । ଜର୍ଜ ଲୋରିମର୍ ଙ୍କ ମତରେ – ଯଦି ଆପଣ ସନ୍ତୁଷ୍ଟତା ସହିତ ଶୋଇବାକୁ ଯାଉଛନ୍ତି ତେବେ ଆପଣ ପ୍ରତିଦିନ ସକାଳେ ନିଷ୍ଠାର ସହ ଉଠିବାକୁ ପଡିବ । ରାତ୍ରୀରେ ଭଲଭାବରେ ନିଦ ହେଲେ ମନୁଷ୍ୟର ମସ୍ତିଷ୍କ ଉତ୍ତମ ରୂପରେ କାମ କରିଥାଏ । ପ୍ରତ୍ୟେକ ଟି ସକାଳ ଆପଣଙ୍କ ପାଇଁ ମୂଲ୍ୟବାନ୍ । ତେଣୁ ଅଳସୁଆ ନହୋଇ ପ୍ରତ୍ୟେକଟି ଦିନ ନିଷ୍ଠାର ସହ ସକାଳେ ଉଠନ୍ତୁ । ଆପଣଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଡିସିସନ୍ ବା ନିଷ୍ପତ୍ତି ସଠିକ ଭାବରେ ନେବାକୁ ଚେଷ୍ଟା କରନ୍ତୁ । କ୍ୟାରିୟର ଆପଣଙ୍କ ଜୀବନର ମେରୁଦଣ୍ଡ ।  ଏହି ସମୟରେ କ୍ୟାରିୟର କୁ ଅଧିକ ଗୁରୁତ୍ୱ ଦିଅନ୍ତୁ । କ୍ୟାରିୟର ଆପଣଙ୍କୁ ରୋଜଗାର କ୍ଷମ କରାଇବ । ସକାଳ ସମୟରେ ମନରେ ଚାଲିଥିବା ବ୍ୟକ୍ତିଗତ ସମସ୍ୟାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ ନାହିଁ ।  

 

୩) “ତୁମେ ଯେତେ ପର୍ଯ୍ୟନ୍ତ ଦେଖିପାରୁଛ ଯାଅ ; ଯେତେବେଳେ ତୁମେ ସେଠାରେ ପହଞ୍ଚିବ, ତୁମେ ଆଗକୁ ମଧ୍ୟ ଦେଖିବାକୁ ସମର୍ଥ ହେବ  । ” – ଥୋମାସ୍ କାର୍ଲିଲ୍ 

ଥୋମାସ୍ କାର୍ଲିଲ୍ ଙ୍କ ମତରେ ଆପଣଙ୍କ ପାଖରେ ଦୂରଦୃଷ୍ଟି ଥିବା ଦରକାର । ଏଠାରେ ଦୂରଦୃଷ୍ଟି ର ମାନେ ଆଖିରେ ଦେଖାଯାଉଥିବା ଦୃଶ୍ୟ କଥା କହୁନାହାନ୍ତି ଥୋମାସ୍ କାର୍ଲିଲ୍ । ଆପଣ ଯେପରି ଖାଲି ଆଖିରେ ଯେତେପର୍ଯ୍ୟନ୍ତ ଦେଖିପାରୁଛନ୍ତି , ସେତେପର୍ଯ୍ୟନ୍ତ ଗଲାପରେ ଆପଣ ନିହାତି ଆଗକୁ ମଧ୍ୟ ସେତିକି ଦୂରତା ଯାଏ ଦେଖିପାରିବେ । ଏହାପରେ ଆପଣ ପୁଣି ସେତିକି ଦୂରତା ଅତିକ୍ରମ କରିବାପାଇଁ ସକ୍ଷମ ହେବେ । ଠିକ୍ ସେହିପରି ଆପଣଙ୍କ ଭବିଷ୍ୟତକୁ ନେଇ ଦୂରଦୃଷ୍ଟି ରହିବା ଉଚିତ୍ । ଯାହା ଫଳରେ ଆପଣ ଗୋଟିଏ କ୍ୟାରିୟର କୁ ନେଇ ମନରେ ଲକ୍ଷ୍ୟ ସ୍ଥିର କରିପାରିବେ । ଆପଣ ଯଦି ପୂର୍ବରୁ ପ୍ରସ୍ତୁତି କରିଥିବେ , ତେବେ ଆପଣ ଆପଣଙ୍କ ଯୋଜନା ଅନୁସାରେ ଅଗ୍ରସର ହେଇପାରିବେ । ଆପଣଙ୍କର ଯେତିକି ଅଗ୍ରଗତି ହେବ ସେଥିରେ ଆପଣ ଅଟକି ନଯାଇ ପୁନଶ୍ଚ କ୍ୟାରିୟର ପାଇଁ ଆଗକୁ ଦେଖିବେ । ଏପରି କଲେ ଆପଣଙ୍କ ଉନ୍ନତି ହେବା ସହ କ୍ୟାରିୟର ପ୍ରତି ଆପଣଙ୍କ ଦୂରଦୃଷ୍ଟି ର ବୃଦ୍ଧିହେବ । ଆପଣ ଯେତିକି ଆଗକୁ ବଢିବେ ସେତିକି ଆଗକୁ ଆପଣଙ୍କୁ ଦେଖାଯିବ । ତେଣୁ ଆପଣ ପ୍ରତ୍ୟେକଟି ବାଧା ବିଘ୍ନ ର ସମ୍ମୁଖୀନ ହୋଇ ଆଗକୁ ବଢିବା ପାଇଁ ପ୍ରୟାସ କରିବା ଉଚିତ୍ । ସ୍ଥିର ହୋଇ ପଡିରହିଲେ କେବେବି କ୍ୟାରିୟରରେ ଅଗ୍ରଗତି ବା ଉନ୍ନତି ହେବ ନାହିଁ ।   

 

୪) ” ତୁମର ଟେଲେଣ୍ଟ୍ ତୁମର କାର୍ଯ୍ୟକାରୀତା କୁ ଦର୍ଶାଇଥାଏ । ତୁମର ମୋଟିଭେସନ୍ ନିର୍ଣ୍ଣୟ କରେ ତୁମେ କେତେ କରିବାକୁ ଇଚ୍ଛୁକ । ତୁମର ମନୋଭାବ ବା ଆଟିଟ୍ୟୁଡ୍ ନିର୍ଣ୍ଣୟ କରେ ତୁମେ ଏହାକୁ କେତେ ଭଲରେ କରିବ । ” – ଲୁ ହୋଲ୍ଟଜ୍ 

କ୍ୟାରିୟରରେ ଦକ୍ଷତା ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଖାଲି ଦକ୍ଷତାଥିଲେ ଆପଣ ଆଗକୁ ବଢିପାରିବେ ନାହିଁ । କାମ କରିବା ପାଇଁ ମନବୃତ୍ତିର ଆବଶ୍ୟକତା ଥିବା ଦରକାର । ସେହି କାମକୁ କିଭଳି ଢଙ୍ଗରେ କରିବେ ତାହା ଆପଣଙ୍କ ଆଟିଟ୍ୟୁଡ୍ ବା ମନୋଭାବ ଉପରେ ନିର୍ଭର କରେ । କ୍ୟାରିୟର କୁ ଆଗକୁ ନେବାକୁ ହେଲେ ନିଜ ଦକ୍ଷତା ର ବୃଦ୍ଧି କରିବା ସହ ଭଲ ଆଟିଟ୍ୟୁଡ୍ କୁ ଆପଣେଇବାକୁ ପଡିବ । 

 

୫) ” ଏହା ସମ୍ଭବ ନୁହେଁ ବୋଲି କହୁଥିବା ବ୍ୟକ୍ତି ଏଭଳି ରାସ୍ତାରୁ ଦୂରେଇ ରହିବା ଉଚିତ୍ ବୋଲି କହିଛନ୍ତି । ” – ଟ୍ରିକିଆ କନିଙ୍ଗହାମ୍ 

ଟ୍ରିକିଆ କନିଙ୍ଗହାମ୍ ଙ୍କ ମତରେ ନକାରାତ୍ମକ ଭାବନା ମନୁଷ୍ୟର ପରମ ଶତ୍ରୁ । ସକାରାତ୍ମକ ଭାବନା ଦ୍ୱାରା ମନୁଷ୍ୟ ନିଜ କ୍ୟାରିୟର ଏବଂ ଜୀବନରେ ଅନେକ ଉନ୍ନତି କରିପାରିବ । ଏକଥା ସତ ଯେ ସମସ୍ତ ବ୍ୟକ୍ତି ସବୁ ଜିନିଷରେ ସଫଳତା ପାଇ ପାରିବେନି । କିନ୍ତୁ ଯେଉଁ କ୍ଷେତ୍ରରେ ସଫଳତା ପାଇବା କଥା ସେ କ୍ଷେତ୍ରରେ ମଧ୍ୟ ସେମାନେ ସଫଳ ହୋଇ ନପାରନ୍ତି । ନକାରାତ୍ମକ ଭାବନା ମନରେ ଦୁର୍ବଳତା ସୃଷ୍ଟି କରିବା ସହ ଆତ୍ମବିଶ୍ୱାସ କୁ ହ୍ରାସ କରେଇଥାଏ । ତେଣୁ ଏପରି ରାସ୍ତାରୁ ନିଜକୁ ଦୁରେଇ ରଖିବା ଉଚିତ୍ । ସର୍ବଦା ଜୀବନରେ ସକାରାତ୍ମକ ଭାବନା ରଖି କ୍ୟାରିୟର ପାଇଁ ନିଷ୍ପତି ନେବା ଉଚିତ୍ । 

 

୬) “ଯେତେବେଳେ କେହି ମୋତେ ‘ ନା ’ କୁହନ୍ତି , ଏହାର ଅର୍ଥ ନୁହେଁ ଯେ ମୁଁ ଏହା କରିପାରିବି ନାହିଁ, ଏହାର ଅର୍ଥ ହେଉଛି ମୁଁ ସେମାନଙ୍କ ସହିତ ଏହା କରିପାରିବି ନାହିଁ। ” – କରିନା ଇ କ୍ୱିନୋନ୍ସ ମିଲର୍ 

କ୍ୟାରିୟର ଏବଂ ଜୀବନ ର ନିଷ୍ପତି ନେଲାବେଳେ ଆପଣ ନିହାତି ଘରେ ବାହାରେ ଏହି ନିଷ୍ପତି ବିଷୟରେ ଆଲୋଚନା କରିଥିବେ । କେତେ ଜଣ ଏହି ନିଷ୍ପତି ସପକ୍ଷରେ ମତ ପ୍ରକାଶ କରନ୍ତି ପୁଣି କେତେ ଜଣ ଏହି ନିଷ୍ପତିରେ ରାଜି ହୋଇନଥାନ୍ତି । ଆପଣଙ୍କୁ ଡିମୋଟିଭେଟ୍ କରିବା ପାଇଁ ଲୋକଙ୍କ ଅଭାବ ନାହିଁ । ତେଣୁ ଆପଣ ନିଜେ ଯଦି ସାହାସ ହରାଇବେ ଏବଂ ହତାଶ ହୋଇଯିବେ , ତେବେ ଆପଣ କେବେବି ଆଗକୁ ବଢିପାରିବେ ନାହିଁ । ଯେତେବେଳେ କେହି ଆପଣଙ୍କୁ ‘ ନା ’ କୁହନ୍ତି , ଏହାର ଅର୍ଥ ନୁହେଁ ଯେ ଏହା ଆପଣ କରିପାରିବେ ନାହିଁ, ଏହାର ଅର୍ଥ ହେଉଛି ଆପଣ ସେମାନଙ୍କ ସହିତ ଏହା କରିପାରିବେ ନାହିଁ । ସେମାନେ ଜାଣିନାହାନ୍ତି ଆପଣଙ୍କ ଦକ୍ଷତା ଏବଂ କ୍ୟାରିୟର କୁ ନେଇ ଥିବା ଦୂରଦୃଷ୍ଟି । ତେଣୁ ଆପଣ ତାଙ୍କ ସହ ନୁହଁ ବରଂ ନିଜକୁ ଥରେ ପଚାରିକି ତ ଦେଖନ୍ତୁ । ଆପଣ ନିଶ୍ଚୟ ଦିନେ ଜୀବନରେ ଶାନ୍ତିରେ ରହିବା ସହ ସଫଳ ହେବେ ।  

 

୭ )” ତୁମର ସ୍ୱପ୍ନ ଗଠନ କର କିମ୍ବା ଅନ୍ୟ କେହି ତୁମକୁ ସେମାନଙ୍କର ନିର୍ମାଣ ପାଇଁ ନିଯୁକ୍ତି ଦେବେ । ” – ଫରାହ ଗ୍ରେ

ସ୍ୱପ୍ନ ବିନା ସଫଳତା ପାଇବା ଅସମ୍ଭବ । ସଫଳତା ର ସ୍ୱପ୍ନ ଦେଖିବା ସଫଳତା ପ୍ରତି ପ୍ରଥମ ସୋପାନ ଚଢିବା । ସଫଳତା ର ସ୍ୱପ୍ନ ଆପଣଙ୍କୁ ପ୍ରବର୍ତ୍ତାଇବ ଆଗକୁ ବଢିବା ପାଇଁ । ଫରାହ ଗ୍ରେ ଙ୍କ ମତରେ ଆପଣ ନିଜେ ଯଦି ନିଜପାଇଁ ସ୍ୱପ୍ନ ନଦେଖିବେ ତେବେ ଆପଣ ଅନ୍ୟ କାହାର ସ୍ୱପ୍ନ ର ନିର୍ମାଣ ରେ ସାମିଲ୍ ହେବେ । ଆପଣଙ୍କ ଘର ଲୋକ ଆପଣଙ୍କ ପାଇଁ କ୍ୟାରିୟର ଚୟନ କରିବେ । ଯଦି ଆପଣଙ୍କର କୌଣସି ସ୍ୱତନ୍ତ୍ର ବିଷୟ ପ୍ରତି ରୁଚି ବା ସ୍ୱପ୍ନ ରହିଥାଏ , ତା ହେଲେ ତାହା ଆଉ ସଫଳ ହେବ ନାହିଁ । ଆପଣଙ୍କ ମନର ଲକ୍ଷ୍ୟ ମନରେ ହିଁ ରହିଯିବ । ତେଣୁ ନିଜପାଇଁ ନିଜେ ସ୍ୱପ୍ନ ଦେଖନ୍ତୁ ଏବଂ ତାକୁ ସତରେ ପରିଣତ କରିବା ପାଇଁ ସଂଘର୍ଷ ଜାରିରଖନ୍ତୁ । ଏପରି କଲେ ଆପଣଙ୍କ ରୁଚି ଦିନେ ନା ଦିନେ ଆପଣ ପ୍ରୋଫେସନ୍ ରେ ପରିଣତ ହେବ । 

 

୮)  ” ତୁମେ କରୁଥିବା ଚାକିରୀକୁ ଭଲ ପାଅ କିନ୍ତୁ ସେହି କମ୍ପାନୀକୁ ଭଲ ପାଅ ନାହିଁ, କାରଣ ତୁମେ ଜାଣିନଥିବ କେତେବେଳେ ତୁମର କମ୍ପାନୀ ତୁମକୁ ଭଲ ପାଇବା ବନ୍ଦ କରିଦେବ ” – ଏପିଜେ ଅବଦୁଲ କଲାମ୍

ଚାକିରୀ କରୁଥିବା ଅନେକ କର୍ମଚାରୀ ନିଜ କମ୍ପାନୀ କୁ ବହୁତ ଭଲ ପାଆନ୍ତି । ଭଲ ପାଇବା ସ୍ୱାଭାବିକ । କିନ୍ତୁ ଯେତେବେଳେ ସେହି କମ୍ପାନୀ ନିଜର ସ୍ୱାର୍ଥ କିମ୍ୱା କୌଣସି କାରଣରୁ କର୍ମଚାରୀ ମାନଙ୍କୁ ଛଟେଇ କରିଥାଏ , ସେତେବେଳେ ସେହି କର୍ମଚାରୀ ମାନେ ଅବସାଦ ଗ୍ରସ୍ତ ହୋଇଯାଇଥାନ୍ତି । ତେଣୁ ଜୀବନରେ ନିରୁତ୍ସାହ ଭାବ ଭରିଯାଏ । ଅନ୍ୟ କମ୍ପାନୀରେ ଚାକିରୀ କରିବା ପାଇଁ ଭୟ ଲାଗେ । ଭୟ ଏବଂ ହତାସା ଭାବ ରେ ଦେଇଥିବା ଇଣ୍ଟରଭ୍ୟୁରେ ସଫଳତା ମିଳେ ନାହିଁ । ସତେ ଯେମିତି କ୍ୟାରିୟର ଶେଷ ହେଲାପରି ଲାଗେ । ଏପରି କରିବା ଭୁଲ । ନିଜ ଡ୍ୟୁଟି ଏବଂ ନିଜ ଚାକିରୀ କୁ ଭଲ ପାଆନ୍ତୁ । ଏପରି କଲେ ନିଜର ସୃଜନଶୀଳତା ଏବଂ ଦକ୍ଷତା ବୃଦ୍ଧି ପାଇଥାଏ । ଆପଣଙ୍କୁ କମ୍ପାନୀ ରୁ କାଢି ଦେଲେ ବି ଆପଣଙ୍କ ଆତ୍ମବିଶ୍ୱାସ କମିବ ନାହିଁ । ନିଜ ଦକ୍ଷତା ବଳରେ ଆପଣ ଆହୁରି ବଡ କମ୍ପାନୀରେ ଜଏନ୍ କରିବେ । ଅଧିକ ରୋଜଗାର ମଧ୍ୟ ହେବ । ଏହା ହିଁ କ୍ୟାରିୟର ର ମୂଳମନ୍ତ୍ର । କ୍ୟାରିୟର ଏବଂ ଜୀବନରେ ଉନ୍ନତି ଆଣିବାକୁ ହେଲେ ସଂଘର୍ଷ କରିବାକୁ ପଡେ । ସଂଘର୍ଷ ବିନା ସଫଳତାର ସ୍ୱାଦ ଚାଖିବା ଅସମ୍ଭବ । ଆଜି କରିଥିବା ସଂଘର୍ଷ ଭବିଷ୍ୟତରେ ଆପଣଙ୍କୁ ସଫଳ ବ୍ୟକ୍ତି ର ପରିଚୟ ଦେବ । ଏପରି ଆହୁରି ଅନେକ ଲେଖା ବା କୋଟ୍ସ ଅଛି , ଯାହା ଆପଣଙ୍କୁ ପ୍ରତିଦିନ ପ୍ରେରଣା ଯୋଗାଇବ । 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )