Friday 19th April 2024
ସୁପ୍ରିମ୍‌କୋର୍ଟ; ଛାଡପତ୍ର ପରେ କରିବାକୁ ପଡିପାରେ ମଜୁରୀ

ସୁପ୍ରିମ୍‌କୋର୍ଟ; ଛାଡପତ୍ର ପରେ କରିବାକୁ ପଡିପାରେ ମଜୁରୀ

ଏଣିକି ମଜୁରୀ କରି ପୋଷିବାକୁ ହେବ ସ୍ତ୍ରୀ-ପିଲାଙ୍କ ପେଟ । କଥାଟି ନିଶ୍ଚୟ ଆପଣମାନଙ୍କୁ ହଜମ ହେଉନଥିବ । ବିଶେଷ କରି ପୁରୁଷମାନଙ୍କୁ ହୁଏତ ଏହି କଥା ବୁଝାପଡୁନଥିବ । ତେବେ ବର୍ତ୍ତମାନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ତାଙ୍କ ରାୟ ଅନୁସାରେ ବର୍ତ୍ତମାନ ସବୁ ନାରୀଙ୍କୁ ମିଳିବ ସମାନ ଅଧିକାର । ବର୍ତ୍ତମାନ କୋର୍ଟର ରାୟ ଅନୁସାରେ ପ୍ରତ୍ୟେକ ସ୍ୱାମୀଙ୍କର କର୍ତ୍ତବ୍ୟ ହେଉଛି ନିଜ ସ୍ତ୍ରୀ ଓ ପିଲାର ଆର୍ଥିକ ସ୍ୱାବଲମ୍ବତାକୁ ବଜାୟୀ ରଖିବା । ବର୍ତ୍ତମାନ ସମୟରେ ଯେଉଁ ବି ପୁରୁଷ ସକ୍ଷମ ଥିବେ ଓ ନିଜ ସ୍ତ୍ରୀକୁ ଡିଭୋର୍ସ ଦେଇ ଘରେ ଆରାମରେ ରହିବାକୁ ଚାହୁଁଛନ୍ତି ସେମାନେ ଆଗକୁ ଏହିଭଳି ଆଉ କରିପାରିବେ ନାହିଁ କି ଅଲଗା କିଛି ବାହାନା ବି କରିପାରିବେ ନାହିଁ । ସେମାନେ ଯେମିତି ବି ହେଉ ନା କାହିଁକି ନିଜ ସ୍ତ୍ରୀ ଓ ପିଲାଙ୍କୁ ଟଙ୍କା ଆୟ କରି ଦେବେ ।

ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ସ୍ବାମୀ ତା’ର ସ୍ତ୍ରୀକୁ ଛାଡ଼ପତ୍ର ଦେଇଥିଲେ ତା’ର ଭରଣପୋଷଣ କରିବାକୁ ପଡ଼ିବ। ସ୍ତ୍ରୀ ପାଖରେ ନାବାଳକ ପିଲାଛୁଆ ରହୁଥିଲେ ତାଙ୍କର ଭରଣପୋଷଣ ଦାୟିତ୍ବ ବି ନେବାକୁ ପଡ଼ିବ। ଏଥିପାଇଁ ସ୍ବାମୀକୁ ରୋଜଗାର କରିବାକୁ ପଡ଼ିବ। ଦରକାର ପଡ଼ିଲେ ଶାରୀରିକ ଶ୍ରମ କରି ବା ଦିନମଜୁରି ଲାଗି ମଧ୍ୟ ସ୍ତ୍ରୀ-ପିଲାଙ୍କୁ ପୋଷିବାକୁ ପଡ଼ିବ। ସ୍ବାମୀ ଏ ଦାୟିତ୍ବକୁ କେବେହେଲେ ଏଡ଼ାଇଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଏକ ରାୟରେ କହିଛନ୍ତି। ଜଷ୍ଟିସ୍ ଦିନେଶ ମାହେଶ୍ବରୀ ଓ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ସିଆର୍‌ପିସିର ଧାରା ୧୨୫ରେ ଭରଣପୋଷଣ ପାଇଁ ରହିଥିବା ବ୍ୟବସ୍ଥାର ତର୍ଜମା କରି କହିଛନ୍ତି ଯେ ସମ୍ବିଧାନର ଏହି ଧାରା ସାମାଜିକ ନ୍ୟାୟ ପାଇଁ ଉଦ୍ଦିଷ୍ଟ। ବିଶେଷକରି ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ରହିଛି। ତେଣୁ ମୋର ବ୍ୟବସାୟ ବନ୍ଦ ହୋଇଯାଇ ଥିବାରୁ ଏବେ କୌଣସି ଆୟପନ୍ଥା ନାହିଁ, ତେଣୁ ସ୍ତ୍ରୀ-ପିଲାଙ୍କୁ ଭରଣପୋଷଣ ଦେଇପାରିବି ନାହିଁ ବୋଲି କହୁଥିବା ସ୍ବାମୀଙ୍କ ଯୁକ୍ତିକୁ କୋର୍ଟ ଖାରଜ କରିଦେଇଛନ୍ତି।

କୋର୍ଟ କହିଲେ ଯେ ମୁଦାଲା ସ୍ବାମୀ ଜଣକ ଶାରୀରିକ ଦୃଷ୍ଟିରୁ ଜଣେ ସକ୍ଷମ ପୁରୁଷ, ତେଣୁ ସେ ସ୍ତ୍ରୀ ଓ ନାବାଳକ ପିଲାଙ୍କ ଭରଣପୋଷଣ ପାଇଁ ସତ୍ ଉପାୟରେ ରୋଜଗାର କରିବାକୁ ବାଧ୍ୟ। ମୁଦେଇ ଓ ମୁଦାଲାଙ୍କ ସବୁ ଯୁକ୍ତି ଶୁଣିବା ଏବଂ ମୁଦାଲାଙ୍କ ଆର୍ଥିକ ସମ୍ବଳ ଓ ଆୟର ଉତ୍ସ ସମ୍ବନ୍ଧରେ ସବୁ ପ୍ରମାଣ ପାଇସାରିବା ପରେ କୋର୍ଟ କହିଲେ ଯେ ସ୍ବାମୀ ଜଣକ ସ୍ତ୍ରୀ-ପିଲାଙ୍କୁ ଭରଣପୋଷଣ ଦେବାକୁ ସକ୍ଷମ ମାତ୍ର ସେ ଜାଣିଶୁଣି ଦେଇନାହାନ୍ତି ବା ଅବହେଳା କରିଛନ୍ତି, ଯାହା ଗ୍ରହଣୀୟ ନୁହେଁ। ଏଣୁ କୋର୍ଟ କହିଲେ ଯେ ସମ୍ପୃକ୍ତ ସ୍ବାମୀଙ୍କୁ ସ୍ତ୍ରୀଙ୍କ ଭରଣପୋଷଣ ପାଇଁ ମାସିକ ୧୦ ହଜାର ଓ ନାବାଳକ ପୁଅ ପାଇଁ ମାସିକ ୬ ହଜାର ଟଙ୍କା ଦେବାକୁ ପଡ଼ିବ। ଏହା ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସ୍ବାମୀଙ୍କ ସପକ୍ଷରେ ଦେଇଥିବା ରାୟକୁ କୋର୍ଟ ଖାରଜ କରିଦେଇଥିଲେ।

ତେବେ ଏହିଭଳି ନିୟମ ଲାଗୁ ହେବା ପରେ ସମାଜରେ ଦୁଇଟି ପ୍ରଶ୍ନ ଉଙ୍କିମାରୁଛି । ପ୍ରଥମତଃ- ଏହା ପୁରୁଷ ଜାତି ପ୍ରତି ଅନ୍ୟାୟ ନୁହେଁ ତ ! ଦ୍ୱିତୀୟତଃ- ନାରୀଟିଏ ଛାଡପତ୍ର ପରେ ବି ଯଦି ଟଙ୍କା ପାଏ ତାହାଲେ ତାର ଭୁଲ ଫାଇଦା ଉଠାଇବନି ତ ! ତେବେ ବିଚାର ଆପଣଙ୍କର ଆପଣମାନେ ହିଁ କୁହନ୍ତୁ କଣ ଏହା ଠିକ୍ ନା ଭୁଲ୍ ?

CATEGORIES
TAGS
Share This

COMMENTS

Wordpress (0)
Disqus (0 )