Thursday 25th April 2024
ଭାରତ ଭଳି ଏସବୁ ଦେଶରେ ବି କରାଯାଏ ପିତୃପକ୍ଷ ଶ୍ରାଦ୍ଧ

ଭାରତ ଭଳି ଏସବୁ ଦେଶରେ ବି କରାଯାଏ ପିତୃପକ୍ଷ ଶ୍ରାଦ୍ଧ

ଦେଶରେ ପ୍ରତ୍ୟେକ ବର୍ଷ ପିତୃପକ୍ଷରେ ଶ୍ରାଦ୍ଧ ଦିଆଯାଏ। ଏହି ସମୟରେ ଲୋକେ ନିଜ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ଓ ସେମାନଙ୍କ ଆଶୀର୍ବାଦ ପାଇବା ଲାଗି ଶ୍ରାଦ୍ଧ କର୍ମ କରିଥାନ୍ତି। ଏହି ଶ୍ରାଦ୍ଧ କେହି ଘରକୁ ପଣ୍ଡିତ ଡାକି କରିଥାନ୍ତି ତ ଆଉ କେହି କୌଣସି ପବିତ୍ର ସ୍ଥାନକୁ ଯାଇ ଶ୍ରାଦ୍ଧ ଦେଇଥାନ୍ତି। ମାନ୍ୟତା ଅନୁସାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ,  ପିଣ୍ଡଦାନ, ତର୍ପଣ କରିବା ଦ୍ବାରା ପୂର୍ବଜଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଏଥିସହିତ ସେମାନେ ପୃଥିବୀ ପୃଷ୍ଠକୁ ଆସି ନିଜ ପରିବାର ଲୋକଙ୍କୁ ଆଶୀର୍ବାଦ ଦେଇଥାନ୍ତି ବୋଲି ବିଶ୍ବାସ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ଭାରତ ଭଳି ଅନ୍ୟ ଦେଶର ଲୋକେ ବି ନିଜ ପୂର୍ବପୁରୁଷଙ୍କୁ ସ୍ମରଣ କରି ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ଖାସ ପର୍ବ ପାଳନ କରନ୍ତି। ଭାରତ ଭଳି ଅନ୍ୟ ଦେଶର ଲୋକେ ବି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି। କିନ୍ତୁ ସେମାନଙ୍କ ପଦ୍ଧତି କିଛି ମାତ୍ରାରେ ଅଲଗା। ଚାଲନ୍ତୁ ଜାଣିବା ବିସ୍ତାରରେ।


ବୋନ ଫେଷ୍ଟିଭାଲ, ଜାପାନ-

ଜାପାନରେ ପିତୃପୁରୁଷଙ୍କୁ ସ୍ମରଣ କରି ବୋନ ଫେଷ୍ଟିଭାଲ ପାଳନ କରାଯାଏ। ଜାପାନ କ୍ୟାଲେଣ୍ଡର ଅନୁସାରେ ଏହି ପର୍ବ ୭ମ ମାସର ୧୦ ଦିନରୁ ଆରମ୍ଭ ହୋଇ ମାସର ଶେଷ ୧୫ ଦିନ ଯାଏ ଚାଲିଥାଏ। ଏହି ସମୟରେ ଜାପାନୀମାନେ ପିତୃପୁରୁଷଙ୍କ କବର ପାଖକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି। ସେମାନଙ୍କ କବର ଉପରେ ପୁଷ୍ପ ପ୍ରଦାନ କରନ୍ତି। ଏହି ସମୟରେ ନିଜ ଘରକୁ ଆଲୋକିତ କରିଥାନ୍ତି। ଏହି ୧୦-୧୫ ଦିନ ସେମାନେ ନାଚ ଗୀତ କରି ବିଭିନ୍ନ ପ୍ରକାର ରୋଷେଇ କରି ପାଳନ କରନ୍ତି। ଶେଷ ଦିନରେ ପିତୃପୁରୁଷଙ୍କୁ ପୁଣିଥରେ ଫେରିଯିବାରେ ସାହାଯ୍ୟ କରିବା ପାଇଁ ତାଙ୍କ ନାମରେ ଏକ ଦୀପ ଜାଳି ନଦୀରେ ବହାଇଥାନ୍ତି।

ଛିଙ୍ଗ ମିଙ୍ଗ ଫେଷ୍ଟିଭାଲ, ଚୀନ-

ଭାରତର ପଡ଼ୋଶୀ ଦେଶ ଚୀନର ଲୋକେ ପିତୃପୁରୁଷଙ୍କୁ ମନେ ପକାଇ ଛିଙ୍ଗ ମିଙ୍ଗ ନାମକ ଫେଷ୍ଟିଭାଲ ପାଳନ କରନ୍ତି। ଏହା ପ୍ରତ୍ୟେକ ବର୍ଷ ୪-୫ ଏପ୍ରିଲରେ ପାଳନ କରାଯାଏ। ଏହି ସମୟରେ ଚୀନ ଲୋକେ କବରସ୍ତାନକୁ ଯାଇ ନିଜ ପୂର୍ବଜଙ୍କ କବର  ସଫା କରନ୍ତି। ପୂଜା କରିବା ପରେ କବର ଚତୁଃପାର୍ଶ୍ବରେ ପରିକ୍ରମା କରନ୍ତି। ଏହି ସମୟରେ ସେମାନେ ପିତୃପୁରୁଷଙ୍କୁ ଥଣ୍ଡା ଭୋଜନ ଚଢ଼ାଇଥାନ୍ତି। ଏଥିସହିତ ନିଜେ ବି ଥଣ୍ଡା ଭୋଜନ ଖାଇଥାନ୍ତି। ଏଥିପାଇଁ ପ୍ରତ୍ୟେକ ବର୍ଷ ଚୀନରେ ଏହି ଦିନ ଛୁଟି ରହିଥାଏ।

ଅଲ ସେଣ୍ଟସ ଡେ, ଜର୍ମାନୀ-

ଜର୍ମାନୀରେ ପୂର୍ବଜଙ୍କୁ ସ୍ମରଣ କରିବା ପାଇଁ ଲୋକେ ଅଲ ସେଣ୍ଟସ ଡେ ପର୍ବ ପାଳନ କରନ୍ତି। ପ୍ରତ୍ୟେକ ବର୍ଷ ନଭେମ୍ବର ୧ରେ ଏହି ପର୍ବ ପାଳନ କରାଯାଏ। ଏହି ଦିନ ସେମାନେ ପୂର୍ବଜଙ୍କୁ ମନେପକାଇ ମହମବତୀ ପ୍ରଜ୍ଜ୍ବଳନ କରନ୍ତି। ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଭୋଜନ ରୋଷେଇ କରି ପିତୃପୁରୁଷଙ୍କୁ ଅର୍ପଣ କରିବା ପରେ ନିଜେ ଖାଇଥାନ୍ତି।

ହଙ୍ଗ୍ରି ଘୋଷ୍ଟ ଫେଷ୍ଟିଭାଲ (ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା, ମାଲେସିଆ)-

ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା ଓ ମାଲେସିଆରେ ଲୋକେ ପିତୃପୁରୁଷଙ୍କୁ ମନେପକାଇ ହଙ୍ଗ୍ରି ଘୋଷ୍ଟ ଫେଷ୍ଟିଭାଲ ପାଳନ କରନ୍ତି। ଏହି ଦିନ ନର୍କର ଦ୍ବାର ଖୋଲିଥାଏ ବୋଲି ଲୋକକଥା ରହିଛି। ଏହାପରେ ପୂର୍ବପୁରୁଷ ଭୋଜନ କରିବା ଲାଗି ପୃଥିବୀ ପୃଷ୍ଠକୁ ଆସିଥାନ୍ତି। ତେଣୁ ଏହି ଦିନ ଘରେ ଲୋକେ ବିଭିନ୍ନ ସୁସ୍ବାଦୁ ଭୋଜନ ରୋଷେଇ କରିଥାନ୍ତି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )