Friday 19th April 2024
ଅଜବ ଗଜବ ବ୍ୟବସାୟ :ପବନ ବିକି କରୁଛନ୍ତି ବିଜନେସ୍

ଅଜବ ଗଜବ ବ୍ୟବସାୟ :ପବନ ବିକି କରୁଛନ୍ତି ବିଜନେସ୍

ଯୁବପିଢିଙ୍କ ପ୍ରଥମ ପସନ୍ଦ ପାଲଟିଛି କିଛି ନୂଆ କରିବାର ନିଶା । ନୂଆ କରିବାର ଅର୍ଥ ଯାହା ପୂର୍ବରୁ କେହି କରିନଥିବେ । ତାସହ ପୁରୁଣା ଜିନିଷକୁ ଆଜିର ସମୟ ଅନୁସାରେ ପରିବେଷଣ କରିବା । ଯୁବପିଢିଙ୍କ ଚାକିରୀ କରିବାର ପଦ୍ଧତି ବଦଳିବାକୁ ଲାଗିଲାଣି । ମୋଟାମୋଟି ଭାବେ କହିବାକୁ ଗଲେ ଏବେ ନୂଆ ରୋଜଗାର କରିବାର ମାଧ୍ୟମ ହେଉଛି ଷ୍ଟାର୍ଟଅପ୍ ବିଜିନେସ୍ । ଅନେକ ଯୁବକଯୁବତୀ ବେଶ୍ ନୂଆ ନୂଆ ଜିନିଷକୁ ନେଇ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଏଥିରେ ସଫଳ ହେଉଛନ୍ତି । କିନ୍ତୁ ଅନେକ ଜଣ କେବଳ ଫେମସ୍ ହେବା ପାଇଁ ହୁଏତ ଲୋକଙ୍କୁ ବୋକା ବନାନ୍ତି ଓ ରାତା ରାତି ଚର୍ଚ୍ଚାକୁ ଆସିଯାଆନ୍ତି । ବିଜନେସ୍ କରିବାର ଅର୍ଥ ନୁହେଁ ଯେ ବିନା କାରଣରେ ଲୋକଙ୍କୁ ଠକି ପଇସା କମାଇବା । ଆପଣ କେବେ ପବନ ବିକ୍ରି ହେବାର ଦେଖିଛନ୍ତି ? ପବନକୁ କେହି ଗୋଟିଏ ଜାଗାରେ ଭର୍ତ୍ତି କରି କିଛି ଟଙ୍କା ନେଇ ବିକ୍ରି କରୁଥିବାର ଦୃଶ୍ୟ ହୁଏତ ଆପଣ ଦେଖିନଥିବେ । ହେଲେ ଏହିଭଳି ଅଜବ ବିଜନେସ୍ କରି ବର୍ତ୍ତମାନ ଖୁବ୍ ଚର୍ଚ୍ଚା ରେ ଏହି ଯୁବକ ।


ଏହି ଧାରାରେ କଲମ୍ବିଆର ମେଡେଲିନ୍‌ର ଜୁଆନ୍ କାର୍ଲୋସ ଆଲଭାରାଡୋ ନାମକ ଜଣେ ଯୁବକ ବୋତଲରେ ଶୁଦ୍ଧ ପବନ ବିକ୍ରି କରି ଏବେ ଚର୍ଚ୍ଚାରେ । ଏହି ବୋତଲର ମୁଲ୍ୟ ରହିଛି ୪୦୦ଟଙ୍କା । ପବନ ବିକ୍ରି କରି ସେ ବେଶ୍ ଲାଭବାନ ମଧ୍ୟ ହୋଇଛନ୍ତି । ମେଡେଲିନ୍‌କୁ ସିଟି ଅଫ୍ ଇଟର୍ନଲ ସ୍ପ୍ରିଙ୍ଗ କୁହାଯାଏ । କାରଣ ଏଠାରେ ବର୍ଷସାରା ପାଣିପାଗ ବହୁତ ଭଲ ରହୁଥିବାରୁ ଏହାର ବାୟୁ ବେଶ୍ ଶୁଦ୍ଧ ହୋଇଥାଏ । ତେଣୁ ଜୁଆନ ନିଜ ସହରର ପବନକୁ ବୋତଲରେ ବନ୍ଦ କରି ବିକ୍ରି କରିବା ଆରମ୍ଭ କରିଥିଲେ । ଏନେଇ ଜୁଆନ କୁହନ୍ତି ଯେ,କାଚ ବୋତଲରେ ପବନ ଭରିବାକୁ ସେ ସ୍ୱତନ୍ତ୍ର କୌଶଳ ମଧ୍ୟ ଆପଣାଇଥାନ୍ତି । ୧୫ରୁ ୩୦ ମିନିଟ୍ ମଧ୍ୟରେ ସେ ବୋତଲରେ ପବନ ଭରି ଦିଅନ୍ତି । ଏପରିକି ଜୁଆନ ଯେଉଁଦିନ ଏହି ବ୍ୟବସାୟ ଆରମ୍ଭ କରିଥିଲେ,ପ୍ରଥମ ଦିନରୁ ହିଁ ବୋତଲ ପିଛା ୪୦୦ ଟଙ୍କାରେ ୭୭ଟି ବୋତଲ ବିକ୍ରି କରିପାରିଥିଲେ । ଏହା ତାଙ୍କୁ ଚକିତ କରିଦେଇଥିଲା । ପରଦିନ ମେଡେଲିନ୍ କୁ ଆସୁଥିବା ପର୍ଯ୍ୟଟକଙ୍କୁ ସେ ୩୦୦ ଟି ବୋତଲ ବିକ୍ରି କରିଥିଲେ । ଚୀନ୍ ରେ ମଧ୍ୟ ବୋତଲରେ ପବନ ଭରି ବିକ୍ରି କରିବାର ଟ୍ରେଣ୍ଡ ରହିଛି । ଜୁଆନଙ୍କ ଏହି ଅଜବ ବ୍ୟବସାୟ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

କିନ୍ତୁ ପ୍ରକୃତରେ ଭାବିଲେ ଏହିଭଳି ବିଜନେସ୍ କଣ ଆମ ଦେଶ ଭାରତରେ ଚାଲିବ ? ଲୋକଙ୍କ ପାଇଁ ଏହା ଏକ ହାସ୍ୟସ୍ଫଦ ବିଷୟ ଛଡା ଆଉ କିଛି ବି ନୁହେଁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )