
ଆଜିଠୁ ଆରମ୍ଭ ହେଲା 5G…
ଭାରତରେ ଟେଲିକମ କ୍ଷେତ୍ରରେ ଏକ ନୂଆ ବିପ୍ଲବ ସୃଷ୍ଟି ହେଲା। ଆଜି ଦେଶରେ ଶୁଭାରମ୍ଭ ହେଲା ବହୁ ପ୍ରତୀକ୍ଷିତ ୫ଜି ସେବା। ଏହି ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରୁ ଶୁଭାରମ୍ଭ କରିଲେ। ଆଜି ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଷ୍ଠ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ (ଆଇଏମ୍ସି) ଉଦ୍ଘାଟନ କରିବା ଅବସରରେ ଭାରତରେ ‘୫ଜି’ (ଫିଫ୍ଥ୍ ଜେନେରେସନ୍) ମୋବାଇଲ୍ ସେବାର ଶୁଭାରମ୍ଭ କରିଛନ୍ତି।
ଅକ୍ଟୋବର ୨୫ ତାରିଖରେ ଦେଶର ୪ଟି ମେଟ୍ରୋ ସହରରେ ‘ରିଲାଏନ୍ସ୍ ଜିଓ’ ଏହି ସେବା ଉପଲବ୍ଧ କରାଇବ। କିନ୍ତୁ, ଆଗାମୀ ଦୁଇ ବର୍ଷ ମଧ୍ୟରେ ‘୫ଜି’ ସେବା ସମଗ୍ର ଦେଶରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ‘୫ଜି’ ସେବା ପ୍ରଚଳନ ଫଳରେ ସମାଜ ଓ ଅର୍ଥନୀତିରେ ଆମୂଳଚୂଳ ପରିବର୍ତ୍ତନ ଘଟିବ। ଏହାଦ୍ବାରା, ଇଣ୍ଟର୍ନେଟ୍ ସେବା ଅତ୍ୟନ୍ତ କ୍ଷିପ୍ର ହେବା ସହ ନୂତନ ଆର୍ଥିକ ସୁଯୋଗ ଓ ସାମାଜିକ ସୁବିଧା ବା ଲାଭ ମିଳିବ ବୋଲି ଆଶା କରାଯାଉଛି।
‘୫ଜି’ ସେବା ପ୍ରଚଳନ କରିବାରେ ଭାରତ ହେଉଛି ବିଶ୍ବର ୫ମ ରାଷ୍ଟ୍ର।
ଆଜି ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ ବୁଲି ଦେଖିବା ବେଳେ ‘ରିଲାଏନ୍ସ୍ ଜିଓ’ର ଆକାଶ ଅମ୍ବାନୀ ‘୫ଜି’ ପ୍ରଯୁକ୍ତିବିଦ୍ୟାର ‘ଡେମୋ’ ଦେଖାଇଥିଲେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏହାର ପ୍ରୟୋଗ ବିଷୟରେ ମଧ୍ୟ ବିଶେଷଜ୍ଞମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ‘୫ଜି’ ଆମ୍ବୁଲାନ୍ସ୍ ସେବା ବିଷୟରେ ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୁଝାଇ କହିଛନ୍ତି ଯେ, ନଗରାଞ୍ଚଳ ଓ ଗ୍ରାମଞ୍ଚଳ ସ୍ବାସ୍ଥ୍ୟ ସେବା ମଧ୍ୟରେ ଏହା ସମନ୍ବୟ ରକ୍ଷା କରିବ।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ‘୫ଜି’ ପ୍ରଯୁକ୍ତିବିଦ୍ୟା ବଳରେ ଦୂରେ ଥିବା ଗୋଟାଏ ଯାନ ଚଳାଇ ପରୀକ୍ଷା କରିବା ସହ ସେଠାରେ ଥିବା ‘ଆତ୍ମନିର୍ଭର ଭାରତ’ ପାଭିଲିୟନ୍ ବୁଲି ଦେଖିଥିଲେ।
୫ଜି ସେବା ଭାରତର ଓଡ଼ିଶାର ପାହାଡ଼ପୁର ରାଷ୍ଟ୍ରପତିଙ୍କ ଆବାସିକ ଆବାସିକ ବିଦ୍ୟାଳୟରୁ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ଭରଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି। ଆଜି ସକାଳ ୧୦ଟା ସମୟରେ ଏସ ଏଲ ଏସ ସ୍କୁଲରେ ଶୁଭାରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ଛାତଛାତ୍ରୀ ଯୋଗ ଦେଇ ୫ଜି ସେବାର ପ୍ରଥମ ଅନୁଭୂତି ପାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଭାରତ ସରକାରଙ୍କ ଟେଲିକମ ବିଭାଗର ଡିଡିଜି ଵିଜୟ କୁମାର ନାୟକ, ଯଶୀପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲର ଅଧ୍ୟକ୍ଷ ଜନ୍ମେଜୟ ଗିରିଙ୍କ ସମେତ ସ୍କୁଲର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ। ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଅଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହେଉଛି।