Tuesday 15th October 2024
କେମିତି ହେବ ୩୨ଜଣଙ୍କ ସହ ଭିଡିଓ କଲ୍ ?

କେମିତି ହେବ ୩୨ଜଣଙ୍କ ସହ ଭିଡିଓ କଲ୍ ?

ଆଗରୁ ସେଲ୍ ଫୋନ୍ ଟିଏ କାହା ପାଖରେ ଥିଲେ ବହୁତ ବଡ କଥା । ସେହି ସେଲ୍ ଫୋନର ବ୍ୟବହାର କରି ଲୋକ କେବଳ କଲ୍ ହିଁ କରିପାରୁଥିଲେ । ସେଥିରେ ବି ଦୂର ଦୂରାନ୍ତକୁ ଫୋନ କଲେ କଥା ଠିକ୍ ଭାବରେ ଶୁଭୁନଥିଲା । ୮୦କିମ୍ବା ୯୦ ଦଶକ ପର୍ଯ୍ୟନ୍ତ ଏସବୁ ଚାଲୁଥିଲା । କିନ୍ତୁ ଚାହୁଁ ଚାହୁଁ ସେଲ୍ ଫୋନରୁ ମୋବାଇଲ ଫୋନ୍ ପୁଣି ଇଣ୍ଟରନେଟ୍ କେତେବେଳେ ସବୁ ଆସି ଆମ ଦୁନିଆ ବଦଳାଇଦେଲା ତାହା ଜଣାପଡିଲା ନାହିଁ । ଇଣ୍ଟରନେଟ୍ ମୋବାଇଲର ଡିମାଣ୍ଡକୁ ଆହୁରୀ ଦ୍ୱିଗୁଣିତ କରିଦେଲା । ଘରେ ବସି ଗୋଟିଏ ଛୋଟିଆ ଯନ୍ତ୍ରରେ ଆରାମରେ ସବୁକିଛି ମିଳିଗଲା । ଏଇ ଯେମିତି ଆପଣଙ୍କୁ ନିଜ ସାଙ୍ଗସାଥୀଙ୍କ ସହ କଥା ହେବାକୁ ଇଚ୍ଛା ହେଉଛି ତାଙ୍କୁ ଦେଖିବାକୁ ଇଚ୍ଛା ହେଉଛି ତାହାଲେ ତୁରନ୍ତ ଆପଣ ଭିଡିଓ କଲ୍ କରିଦେଉଛନ୍ତି । ବର୍ତ୍ତମାନ ଭିଡିଓ କଲ୍ କରିବାର ବି ଅନେକ ଆପ୍ ବାହାରିଲାଣି । କିନ୍ତୁ ସବୁଠି ଗୋଟିଏ ଆପ୍‌କୁ ଲୋକେ ଅଧିକ ବ୍ୟବହାର କରୁଛନ୍ତି । ତାହା ହେଲା ହ୍ୱାଟସଆପ୍ । ତେଣୁକରି ବର୍ତ୍ତମାନ ଏହି ହ୍ୱାଟସଆପ ଜରିଆରେ ଆପଣ ସବୁ ପ୍ରକାରର କଲ୍ କରିପାରୁଛନ୍ତି ।

ଖୁବ୍ ଶୀଘ୍ର ହ୍ୱାଟସ୍‌ଆପ ତାଙ୍କ ୟୁଜରଙ୍କୁ ଏକ ନୂଆ ସୁବିଧା ଦେବାକୁ ଯାଉଛନ୍ତି। ଏହି ସୁବିଧା ପରେ ହ୍ୱାଟସ୍‌ ଆପ ଭିଡିଓ ଏବଂ ଭୟସ କଲରେ ଅଧିକରୁ ଅଧିକ ସଂଖ୍ୟକ ଲୋକେ ଯୋଡି ହୋଇପାରିବେ। ମ୍ୟାସେଜିଂ ଓ କଲିଂ ଲାଗି ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ହ୍ୱାଟସ୍ଆପ୍‌  ତାଙ୍କ ଆପ୍‌ ମାଧ୍ୟମରେ ଭିଡିଓ ଏବଂ ଭୟସ କଲରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡି ହେବା ଲାଗି ଲିଂକ୍ ପଠେଇବାର ସୁବିଧା ମଧ୍ୟ ଉପଲବ୍ଧ କରିବାକୁ ଯାଉଛନ୍ତି।ଏହି ସୁବିଧା ଆରମ୍ଭ ହେବା ପରେ ଲୋକେ ହ୍ୱାଟସ୍‌ଆପରେ ମିଟିଂ, ସେମାନଙ୍କ ପରିବାର ଓ ବନ୍ଧୁଙ୍କ ସହ ଭିଡିଓରେ କଥାବାର୍ତ୍ତା ହୋଇପାରିବେ। ହ୍ୱାଟସ୍ଆପ୍‌ର ମୂଳ କମ୍ପାନୀ ମେଟାଙ୍କ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ( ସିଇଓ) ମାର୍କ ଜୁକରବର୍ଗ ତାଙ୍କ କମ୍ପାନୀ ୩୨ ଜଣଙ୍କ ପର୍ଯ୍ୟନ୍ତ ସମୂହ ଲାଗି ହ୍ୱାଟସ୍‌ଆପରେ ଭିଡିଓ କଲରେ ଯୋଡି ହେବା ଭଳି ବ୍ୟବସ୍ଥା କରୁଥିବା କହିଛନ୍ତି। ଏହି ସୁବିଧା ଲାଗି ଟେଷ୍ଟିଂ ଆରମ୍ଭ ହୋଇଯାଇଛି। ଏବେ ହ୍ୱାଟସ୍ଆପ୍ ଭିଡିଓ କଲରେ ସର୍ବାଧିକ ୮ ଜଣ ଲୋକେ ଯୋଡି ହୋଇପାରୁଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ରେ ଜୁକରବର୍ଗ ଏକ ପୋଷ୍ଟରେ କହିଛନ୍ତି ଯେ ଏହି ସପ୍ତାହରୁ ଆମେ ହ୍ୱାଟସ୍‌ଆପ୍‌ରେ କଲ୍‌ ଲିଂକ ସୁବିଧା ଆରମ୍ଭ କରୁଛୁ, ଫଳରେ ଗୋଟିଏ କ୍ଲିକ୍‌ରେ ଆପଣ ଯେ କୌଣସି କଲ ସହ ସଂଯୁକ୍ତ ହୋଇପାରିବେ। ୩୨ ଜଣଙ୍କ ପର୍ଯ୍ୟନ୍ତ ଆମେ ସୁରକ୍ଷିତ ଏନକ୍ରିପ୍ଟେଡ୍ ଭିଡିଓ କଲିଂର ମଧ୍ୟ ପରୀକ୍ଷଣ କରିବୁ। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜୁକରବର୍ଗ କହିଛନ୍ତିଯେ ଏବେ କଲ୍ ର ବିକଳ୍ପକୁ ଯାଇ କଲ ଲିଂକ ବନେଇ ପାରିବେ ଓ ଏହାକୁ ଆପଣ ଆପଣଙ୍କ ପରିବାର ଓ ବନ୍ଧୁଙ୍କ ମଧ୍ୟରେ ସେୟାର କରିପାରିବେ। କଲ ଲିଂକକୁ ଉପଯୋଗ କରିବା ପାଇଁ ୟୁଜରଙ୍କୁ ସେମାନଙ୍କ ଏପ୍‌କୁ ଅପଡେଟ୍ କରିବାକୁ ପଡିବ।

CATEGORIES
TAGS
Share This

COMMENTS

Wordpress (0)
Disqus ( )