Friday 19th April 2024
ବିଜନେସ୍ ଦୁନିଆକୁ ବଦଳାଇଦେଲା ଡିଜିଟାଲ୍ ଦୁନିଆ

ବିଜନେସ୍ ଦୁନିଆକୁ ବଦଳାଇଦେଲା ଡିଜିଟାଲ୍ ଦୁନିଆ

ଯେଉଁ ଦେଶରେ ଅଧିକ ଟେକ୍ନୋଲୋଜୀ ରହିଛି ସେହି ଦେଶ ସେତେ ବିକଶିତ ହୋଇଛି । ଟେକ୍ନୋଲୋଜୀ ଗୋଟିଏ ଦେଶକୁ ବିକାଶ ଦିଗରେ ଯିବାକୁ ସାହାର୍ଯ୍ୟ କରେ । ଦେଶର ବିକାଶ ତାର ଲୋକମାନଙ୍କୁ ନେଇ ହିଁ ସମ୍ଭବ । ଆଜିର ସମୟରେ ଛୋଟରୁ ବଡ ସବୁ ପ୍ରକାରର କାମ କରିବା ପାଇଁ ଆମ ପାଖରେ ଟେକ୍ନୋଲୋଜୀ ଅଛି । ଗୋଟିଏ ସମୟ ଥିଲା ଗୋଟିଏ ଜାଗାରେ ରହି ଅନ୍ୟ ଦେଶରେ କଣ ଚାଲିଛି ତାର ସୂଚନା ମିଳିପାରୁନଥିଲା । ଆଜି ହାତ ପାହାନ୍ତାରେ ନିଜ ମୋବାଇଲ୍ ଫୋନ୍ ରେ ଆପଣ ଦେଶ,ଦୁନିଆ,ଗ୍ରହ ,ନକ୍ଷତ୍ର ସବୁ କିଛିର ଅପଡେଟ୍ ପାଇପାରୁଛନ୍ତି । ଏସବୁ ଆମକୁ smart ଏବଂ informative ରଖୁଛି । ଆମକୁ ସବୁ ପ୍ରକାରର ଜିନିଷର ଧାରଣା ରହିବା ପାଇଁ ହିଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସୃଷ୍ଟି । information ଏବଂ technology ବିନା ଆମେ ଅଧୁରା । ଆଜିର ସମୟ ଡିଜିଟାଲ୍ ର ସମୟ । ତେଣୁ ଆଜି ପ୍ରତ୍ୟେକଟି କାମରେ ଡିଜିଟାଲାଇଜେସନ୍ କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆମ ଦେଶକୁ ଡିଜିଟାଲ୍ ସ୍ତରରେ ଶକ୍ତିଶାଳୀ ବନାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ୨୦୧୫ରେ ଏକ ଅଭିଯାନ ଆରମ୍ଭ କରିଥିଲେ ଯାହାର ନାଁ ଥିଲା ଡିଜିଟାଲ୍ ଇଣ୍ଡିଆ । ନିଜର ଏକ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ସାରା ଭାରତବାସୀଙ୍କୁ କହିଥିଲେ- ‘’ମୁଁ ଜାଣେ ଆମର ପୂର୍ବପୂରୁଷ ସାପକୁ ଧରି ଖେଳୁଥିଲେ କିନ୍ତୁ ଆମର ବର୍ତ୍ତମାନର ପିଢି ମାଉସ୍ କୁ ଧରି ଖେଳୁଛନ୍ତି ।’’ ଏହାର ଅର୍ଥ ଥିଲା ଯୁଗ ବଦଳେ ଆଉ ଯେଉଁ ଯୁଗରେ ଯାହା ସମ୍ଭବ ହେଇପାରୁଥିଲା ତାକୁ ଛାଡି ଆମକୁ ସମୟ ଓ ନୂତନ ଟେକ୍ନୋଲୋଜୀ ସହ ଆଗକୁ ବଢିବାର ଅଛି । ଆଜି ଆମେ ଇଣ୍ଟରନେଟ୍‌,କମ୍ପ୍ୟୁଟର,ସ୍ମାର୍ଟଫୋନରେ ନିଜର କାମ କାର୍ଯ୍ୟ କରିପାରୁଛୁ । ତେବେ ଚାଲନ୍ତୁ ଆଜି ଜାଣିବା ଭାରତ ଡିଜିଟାଲ୍ ଦୁନିଆରେ ପାଦ ରଖିବା ପରେ କଣ କଣ ବଦଳିଛି ଏବଂ ବିଶେଷ ରୂପେ ବିଜନେସ୍ କ୍ଷେତ୍ରରେ ଏହାର ଅବଦାନ କାହିଁକି ଖାସ୍ ରହିଛି ?

ଡିଜିଟାଲ୍ ଇଣ୍ଡିଆର ଲକ୍ଷ୍ୟ-

୧-ଭାରତକୁ ଡିଜିଟାଲୀ ସଶକ୍ତ କରିବା
୨-ସରକାରୀ ସେବାକୁ ଡିଜିଟାଲୀ ଆଣିବା
୩-କାଗଜପତ୍ର କାମ ଛାଡି ଡାଟା ସଂଗ୍ରହ କରି କାମରେ ସ୍ୱଚ୍ଛତା ରଖିବା
୪-ଘରେ ଘରେ ଡିଜିଟାଲୀ ସଚେତନ ହେଲେ ଦେଶ ଆଗକୁ ବଢିବ
୫-ପ୍ରତି କାମକୁ ଅଳ୍ପ ସମୟ ଭିତରେ ଡିଜିଟାଲୀ ସଂମ୍ଫୂର୍ଣ୍ଣ କରିବା
୬-ନୂଆ ନୂଆ ଉଦ୍ଭାବନ ଉପରେ କାମ କରିବା
୭-ଦେଶର କୋଣ ଅନୁକୋଣରେ ଇଣ୍ଟରନେଟ୍ ସେବା ଯୋଗାଇବା
୮-ଶିକ୍ଷାକୁ ଆହୁରୀ ଉନ୍ନତ କରି ଡିଜିଟାଲୀ ଉପଲବ୍ଧ କରାଇବା
୯-ବିଜନେସ୍ କୁ ଟକ୍ନୋଲୋଜୀ ଦିଗରେ ନେବା
୧୦-ବିକାଶଉନ୍ମୋଖୀ ନୁହେଁ ବିକଶିତ ଦେଶ ହେବା

ଡିଜିଟାଲୀ ବିଜନେସ୍ ରେ ପରିବର୍ତନ-

Digital revolution ହେବା ପରେ ଏକ ସଂଯୋଗ ସୃଷ୍ଟି ହେଲା । ଟେକ୍ନୋଲୋଜୀ ଏବଂ ମଣିଷଙ୍କ ଭିତରେ ସଂଯୋଗ । ମଣିଷ ଟେକ୍ନୋଲୋଜୀକୁ ଆପଣାଇବା ପରେ ସବୁକିଛି ଜିନିଷକୁ ସ୍ପଷ୍ଟ ଭାବେ ବୁଝିବା ଆରମ୍ଭ କଲା । ଯଦି ବିଜନେସ୍ କ୍ଷେତ୍ରରେ କହିବା ତାହାଲେ ଟେକ୍ନୋଲୋଜୀ ଗୋଟିଏ ବିଜନେସ୍ କୁ ଆଗକୁ ନେବା ସହିତ ତାର ଗ୍ରାହକଙ୍କ ଅଭିଜ୍ଞତାକୁ ବୁଝିବା ଆରମ୍ଭ କଲା । ଆଜି ଯିଏ ବି ନିଜ ବିଜନେସକୁ ଡିଜିଟାଲୀ ନେଉଛି ତାକୁ ସଫଳତା ହିଁ ମିଳୁଛି । ଆଗରୁ ବ୍ୟବସାୟ କରିବାରେ ଏକ ଚିହ୍ନା ପରିଚୟ ଏବଂ ଭଲ ଜିିନିଷର ବିକ୍ରି କରିବାର ବିଶ୍ୱାସକୁ ନେଇ ଗ୍ରାହକଙ୍କ ସହ ସଂଯୋଗ କରିପାରୁଥିଲେ ବ୍ୟବସାୟୀ । କିନ୍ତୁ ବର୍ତ୍ତମାନ ଏହି ପୁରାତନ ଢାଂଚାକୁ ଛାଡି ଡିଜିଟାଲୀ ଯିବା ପରେ ଜିନିଷର ଗୁଣବତ୍ତା ଓ ଗ୍ରାହକଙ୍କର ଇଚ୍ଛା ଦୁଇଟି ଆବଶ୍ୟକତାକୁ ପୂରଣ କରିପାରୁଛନ୍ତି ବ୍ୟବସାୟୀ । କାହିଁକି ନା ସେମାନେ ଡାଟା ଅନୁସାରେ ଜାଣିପାରୁଛନ୍ତି-

ସେମାନଙ୍କ ଗ୍ରାହକ କଣ ଚାହାନ୍ତି ?

ତାଙ୍କର ବଡ ଆବଶ୍ୟକତା କଣ ?

ଓ ତାସହ ସେମାନେ ଅନଲାଇନ୍ ରେ କେମିତି ସମୟ ଅତିବାହିତ କରୁଛନ୍ତି ।

ଆଉ ବିଜନେସ୍ କୁ ଡିଜିଟାଲୀ ନେବାର ଅର୍ଥ ଲୋକଙ୍କ interest କୁ ଅଧିକ ଜାଣିବା ।

ଗୋଟିଏ ଉଦାହରଣ ନେବା- ଧରାଯାଉ ଆପଣଙ୍କୁ ଛୁଟି କାଟିବା ପାଇଁ ଭଲ ଜାଗାକୁ ଯିବାର ଅଛି । କିନ୍ତୁ କେଉଁ ଜାଗାକୁ ଯିବେ ତାର ନିଷ୍ପତ୍ତି ନେଇ ପାରୁନାହାନ୍ତି । କେମିତି ସେଠାକୁ ଯିବା ପାଇଁ ଟିକେଟ୍ କରିବେ କେଉଁ ମାଧ୍ୟମରେ ହୋଟେଲ୍ ବୁକ୍ କରିବେ ଇତ୍ୟାଦି । ଆଗରୁ ଏସବୁ ପାଇଁ ଆପଣଙ୍କୁ ଅଲଗା ଅଲଗା ଜାଗା ଯିବାକୁ ପଡୁଥିଲା, ଗୋଟିଏ ଜାଗାରେ ଟିକେଟ୍ କରିବେ ଆଉ ଗୋଟିଏ ଜାଗାରେ agent ଧରିବେ ଏମିତି ସବୁଆଡେ physically ବୁଲିବା ପରେ ହିଁ କେଉଁ ଜାଗାକୁ ଯିବା ସମ୍ଭବ ହେଉଥିଲା । କିନ୍ତୁ ଏବେ ଆପଣ ନିଜ ମୋବାଇଲ୍ ରେ ବି ସବୁକିଛି ଗୋଟିଏ ଜାଗାରେ ଥାଇ ବୁକ୍ କରିପାରିବେ ଏବଂ କେଉଁ କେଉଁ ଜାଗାକୁ ବୁଲିବାକୁ ଯିବେ ତାର ସୂଚନା ବି ପାଇପାରିବେ । ତାଛଡା ଏସବୁ କରିବା ପାଇଁ ଆଜିର ସମୟରେ ଅଛନ୍ତି ଭଲ ଭଲ ଟ୍ରାଭେଲ୍ ଏଜେନ୍ସି । ଆଉ ସେମାନେ ନିଜ ଏଜେନ୍ସୀ ବିଜନେସ୍ ଚଲାଇବା ପାଇଁ ଆପଣାଇଛନ୍ତି ଡିଜିଟାଲ ଫର୍ମାଟ୍ । ସେମାନେ ଏହିସବୁ ଉପାୟରେ କାମ କରୁଛନ୍ତି –

୧-ଡିଜିଟାଲ୍ ପେମେଣ୍ଟ ଉପାୟ
୨-ବିଭିନ୍ନ ଜିନିଷ କ୍ରୟ କରିବା ପାଇଁ ଡିଜିଟାଲ୍ ଏଜେଣ୍ଟ
୩-ଭଲ ଅଫର୍ ପାଇଁ ସବୁ ପ୍ରକାରର ଡାଟା
୪-ଗ୍ରାହକଙ୍କୁ ଭଲ ସର୍ଭିସ ଦେବା ପାଇଁ ଆପ୍ ଅପଟିମାଇଜେସନ୍
୫-ଟ୍ରିପ୍ ରେ ଯିବା ପୂର୍ବରୁ ଗ୍ରାହକଙ୍କ ମନରେ ଅନୁଭବ ଜାଗ୍ରତ କରିବା

ଏତିକି ଜିନିଷ ଉପରେ ଟ୍ରାଭେଲ୍ ଏଜେନ୍ସି କାମ କରୁଛି । ଆଉ ସବୁକିଛି ଗ୍ରାହକଙ୍କ ମନବୁତାବକ ମିଳିଯାଉଛି ।

ଟେକ୍ନୋଲୋଜୀ ଏବେ ସବୁଠି-

ଇନ୍ଟରନେଟ୍ ର ଜନ୍ମ ପରେ ଟେକ୍ନୋଲୋଜୀକୁ ବିଜନେସ୍ ରେ ଆପଣାଇବା ସହଜ ହୋଇଗଲା । ଆଉ ସେଥିପାଇଁ ଆଜି ଡିଜିଟାଲ ମାଧ୍ୟମ ଯୋଗୁଁ ସମସ୍ତଙ୍କ ପାଖରେ ଟେକ୍ନୋଲୋଜୀକୁ ବ୍ୟବହାର କରିବାର ସୁବିଧା ରହିଲା । ଆଜି ବିଜନେସ୍ ତିଆରି କରିବା ଠାରୁ ବିଜନେସ୍ କୁ ବିସ୍ତାର କରିବା ସବୁକିଛି ଟେକ୍ନୋଲୋଜୀ ଦ୍ୱାରା ସମ୍ଭବ ହୋଇପାରୁଛି । ଆଜି ଆପଣ ନିଜ ବିଜନେସ୍ କୁ ସାରା ଦୁନିଆରେ କେମିତି ପହଂଚାଇପାରିବେ ସେଥିପାଇଁ ଅନଲାଇନ୍ ମାର୍କେଟିଙ୍ଗର ହାତ ଧରିଛନ୍ତି । ଆଗରୁ ବିଜନେସ୍ କୁ ସେଲ୍ କରିବା ପାଇଁ ବିଭିନ୍ନ ଲୋକଙ୍କୁ ଗୋଟି ଗୋଟି କରି ବୁଝାଇ ସେଲ୍ କରିବାକୁ ପଡୁଥିଲା । ଏହାଦ୍ୱାରା ଲୋକାଲ୍ ମାର୍କେଟରେ ଭଲ ନାଁ ରହୁଥିଲା । କିନ୍ତୁ ସବୁ ଜାଗାରେ ପରିଚୟ ସୃଷ୍ଟି ହୋଇପାରୁନଥିଲା ।ଡିଜିଟାଲୀ ବିଜନେସ୍ ଚାଲିବା ଦ୍ୱାରା ଆପଣ ଓଡିଶାରେ ବସି ମଧ୍ୟ ଦିଲ୍ଲୀର ଗ୍ରାହକଙ୍କୁ ନିଜର ଜିନିଷ ବିକ୍ରି କରିପାରିବେ ।

ବିଜନେସ୍ ରେ ଯୋଗାଯୋଗ-

ବିଜନେସ୍ ରେ ଯୋଗାଯୋଗ ଏକ ବଡ ମାଧ୍ୟମ ଥାଏ । ବିନା ଯୋଗାଯୋଗରେ ବା କଥାବାର୍ତ୍ତାରେ ବ୍ୟବସାୟ କରିବା କଷ୍ଟକର । କିନ୍ତୁ ଏହି ଯୋଗାଯୋଗର ମାଧ୍ୟମ ଇଣ୍ଟରନେଟ୍ ପାଇଁ ବଦଳିଚାଲିଛି । ଯେଉଁ ଜିନିଷକୁ ଆପଣ ଭାବି ଚିନ୍ତି ନିଜ ଗ୍ରାହକ କିମ୍ବା ବିଜନେସ୍ ପାର୍ଟନରଙ୍କୁ କହିବାକୁ ପଡୁଥିଲା । ତାହାକୁ ଏବେ ଆପଣ କଷ୍ଟମାଇଜ୍ କରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସାହାର୍ଯ୍ୟରେ କରିପାରିବେ । ଆପଣ ନିଜେ ସବୁଠି ଉପଲବ୍ଧ ରହିନପାରିଲେ ବି ଆପଣଙ୍କ ଗ୍ରାହକଙ୍କ ପାଇଁ ଆପଣ ସବୁବେଳେ ଉପଲବ୍ଧ ରହିବେ । ତେଣୁ ଟେଲିକମ୍ୟୁନିକେସନ୍ ଏବଂ ଇଣ୍ଟରନେଟ୍ ଟେକ୍ନୋଲୋଜୀ ଯୋଗାଯୋଗର ଏକ ନୂଆ ସ୍ରୋତ ବୋଲି କହିପାରିବା । ତେଣୁ ନିଜ customer ଙ୍କ ସହ କଥା ହେବା ପାଇଁ ଏବଂ ସେମାନଙ୍କ demand ଅନୁସାରେ କାମ କରିବା ପାଇଁ ନୂତନ ଟେକ୍ନୋଲୋଜୀର ଯୋଗାଯୋଗକୁ ଆପଣାଇବାକୁ ପଡିବ ।

ଉଦାହରଣ- ଆଜିର ସମୟରେ zoom,microsoft team,app ଗୁଡିକ ଅଧିକରୁ ଅଧିକ ଟିମ୍ ଙ୍କୁ ଏକାଠି ଯୋଡି କାମ କରିବାର ସୁଯୋଗ ଦେଉଛି । ଏବେ ଆପଣ physically ଗୋଟିଏ ସ୍ଥାନରେ ନ ରହିଲେ ବି ଅନଲାଇନ୍ ମାଧ୍ୟମରେ ନିଜ ଟିମ୍ ସହ ରହିପାରୁଛନ୍ତି ଏବଂ ବିଜନେସ୍ ବିଷୟରେ କଥା ହୋଇପାରୁଛନ୍ତି । ଆଜିର ସମୟରେ ଯୋଗାଯୋଗକୁ ମାଧ୍ୟମ କରି ଲୋକ ସମୟକୁ ବଂଚାଉଛନ୍ତି ।

ଇଣ୍ଟରନେଟ୍ ବ୍ୟବହାରରେ ଅଭିବୃଦ୍ଧି

ଏସବୁ ଆମ ଭାରତକୁ ନୂଆ ଦିଗକୁ ନେବାର କାମ କରୁଛି । ତେଣୁ ଡିଜିଟାଲ୍ ଇଣ୍ଡିଆର ସ୍ୱପ୍ନ ଧିରେ ଧିରେ ସଫଳ ହେଉଛି । ଇଣ୍ଟରନେଟ୍ ଏଣ୍ଡ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଅନୁସାରେ ପୂର୍ବରୁ ଆମ ଦେଶରେ ୧୮୮ ମିଲିୟନ(୧୮.୮କୋଟି) ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଥିଲେ । ଭାରତର ଜନସଂଖ୍ୟାର ମାତ୍ର ୧୫ ପ୍ରତିଶତ ଲୋକ ଇଣ୍ଟରନେଟ୍ ବ୍ୟବହାର କରିବା ଜାଣିଥିଲେ । କିନ୍ତୁ ୨୦୨୧ରେ ଏହି ସଂଖ୍ୟା ଏତେ ବଢିଗଲା ଯେ ଭାରତ ଇଣ୍ଟରନେଟ୍ ବ୍ୟବହାରରେ ଦୁନିଆର ୨ୟ ନମ୍ବର ଦେଶ ପାଲଟିଗଲା । ୨୦୨୧ ସୁଦ୍ଧା ଭାରତରେ ୮୩ କୋଟି ଲୋକ ଅର୍ଥାତ ୬୧.୬ ପ୍ରତିଶତ ଲୋକ ଇଣ୍ଟରନେଟ୍ ବ୍ୟବହାର କରିବା ଆରମ୍ଭ କରିଦେଲେ । ଆଉ ଏବେ ୨୦୨୩ରେ ଏହି ସଂଖ୍ୟା ୯୦୭ ମିଲୟନ୍ (୯୦.୭ କୋଟି) ରେ ପହଂଚିଛି । ବର୍ତ୍ତମାନ ଆମ ଦେଶର ୬୮ ପ୍ରତିଶତ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ।

ତେବେ ଏହି ଡିଜିଟାଲ୍ ଇଣ୍ଡିଆ ପାଇଁ ଭାରତର ଇ-କର୍ମଶ ମାର୍କେଟ ବହୁତ ହିଁ ଦ୍ରୁତଗତିରେ ବିକଶିତ ହେଉଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୨୦୧୪ରେ ଭାରତରେ ଇ-କର୍ମଶ ଇଣ୍ଡଷ୍ଟ୍ରିର ମାର୍କେଟ ସାଇଜ୍ ୧୪ ବିଲିୟନ୍ ଡଲାର୍ ଥିଲା କିନ୍ତୁ ବର୍ତ୍ତମାନ ଏହା ୧୬୦ ବିଲିୟନ୍ ଡଲାର୍ ରେ ପହଂଚିଲାଣି । ୨୦୨୭ ସୁଦ୍ଧା ଏହା ୨୦୦ ବିଲିୟନ୍ ଡଲାର୍ ରେ ପହଂଚିବ ବୋଲି ଆଶା କରାଯାଉଛି ।

ଡିଜିଟାଲ୍ ପେମେଣ୍ଟ-

ଡିଜିଟାଲ୍ ଦୁନିଆରେ ଭାରତ ଆହୁରୀ ଆଗକୁ ବଢିଛି । ଯଦି ଟଙ୍କା ନେଣଦେଣ ବା ପେମେଣ୍ଟ ଦେବା ନେବାର କଥା କହିବା ତାହାଲେ ଡିଜିଟାଲ୍ ପେମେଣ୍ଟ ଟ୍ରାନଜେକସନ୍ ରେ ଭାରତ ଦୁନିଆର ପ୍ରଥମ ଦେଶ ବୋଲି ନାମିତ ହୋଇଛି । ୨୦୨୦ ରେ ଭାରତ ଚାଇନା ଏବଂ ୟୁଏସ୍ ଦୁହିଁଙ୍କୁ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ପଛରେ ପକାଇଦେଇଥିଲା । ଆଉ ଭାରତକୁ ଏତେ ବଡ ସଫଳତା ଦେବା ପଛରେ ହାତ ରହିଛି- ୟୁପିଆଇର । ହଁ ସେହି ୟୁପିଆଇ ଯାହାକୁ ଭାରତର ସବୁ ବର୍ଗର ଲୋକେ ନିଜ ବ୍ୟବସାୟଠୁ ଆରମ୍ଭ କରି ବ୍ୟକ୍ତିଗତ କାମ ପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି ।

୨୦୨୧ ଅକ୍ଟୋବର ସୁଦ୍ଧା ଭାରତର ୟୁପିଆଇ ଟ୍ରାନଜାକ୍ସନ ୧୦୦ ବିଲିୟନ୍ ରେ ପହଂଚିସାରିଥିଲା । ଆଜିକାଲି ଆମେ ସପିଙ୍ଗ କରିବାକୁ ଯାଉ କିମ୍ବା କୌଣସି ରେଷ୍ଟୁରାଣ୍ଟରେ ଖାଇବାକୁ ଯାଉ ଆମର ପେମେଣ୍ଟ କରିବାକୁ ଥିଲେ ଖୁବ୍ ସହଜରେ ମୋବାଇଲ୍ ମାଧ୍ୟମରେ ସ୍କାନ କରି ପେମେଣ୍ଟ କରିପାରୁଛୁ । ତେଣୁ ଡିଜିଟାଲ ପେମେଣ୍ଟ ପାଇଁ ଖୁବ୍ ସହଜ ହୋଇଯାଇଛି ଲୋକଙ୍କ ଜୀବନଶୌଳୀ । ପ୍ରତି ସମୟରେ ଟେକ୍ନୋଲୋଜୀର ବ୍ୟବହାର ଶିଖୁଛନ୍ତି ଲୋକେ । ଆଉ ନିଜକୁ ଶିକ୍ଷିତ ମଧ୍ୟ କରୁଛନ୍ତି ।

ଡିଜିଟାଲ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ

ଡିଜିଟାଲ୍ ଇଣ୍ଡିଆ ଆସିବା ପରେ ଷ୍ଟାର୍ଟଅପ୍ ମଧ୍ୟ ବହୁତ ଭଲ ଅଗ୍ରଗତି କରିଛି । ନେସକମ୍‌ର ରିପୋର୍ଟ ଅନୁସାରେ ଯେଉଁଠି ଭାରତରେ ୨୦୧୪ ମସିହାରେ ୯ହଜାର ଷ୍ଟାର୍ଟଅପ୍ ଖୋଲିଥିଲା ୨୦୨୦ ପରଠାରୁ ପ୍ରତିବର୍ଷ ୧୫ ହଜାରରୁ ଅଧିକ ଷ୍ଟାର୍ଟଅପ୍ ଭାରତରେ ଖୋଲୁଛି । ଆଉ ସବୁଠୁ ଅଧିକ ଷ୍ଟାର୍ଟଅପ୍ ଆଇଟି ସେକ୍ଟରରେ ହିଁ ଦେଖିବାକୁ ମିଳୁଛି । ଷ୍ଟାର୍ଟଅପ୍ ଇକୋ ସିଷ୍ଟମରେ ଦୁନିଆର ତୃତୀୟ ବୃହତ ଦେଶ ଭାବରେ ଆଜି ଛିଡାହୋଇଛି ଭାରତ । ବର୍ତ୍ତମାନ ଭାରତର ଷ୍ଟାର୍ଟଅପ୍ ରେ ବଡ ବଡ ଇଣ୍ଟରନେସନାଲ୍ କମ୍ପାନୀ ନିଜର ଟଙ୍କା ନିବେଶ କରୁଛନ୍ତି । ୨୦୨୧ ଜୁନ ସମୟରେ ଭାରତର ଷ୍ଟାର୍ଟଅପ୍ ୧୭.୧ ବିଲିୟନ୍ କ୍ୟାପିଟାଲ୍ ବନାଇପାରିଥିଲା । ଆଉ ୨୦୨୧ରେ ଭାରତର ୩୩ଟି ଷ୍ଟାର୍ଟଅପ୍ ୟୁନିକର୍ଣ୍ଣ କ୍ଲବରେ ସାମିଲ ମଧ୍ୟ ହୋଇପାରିଛନ୍ତି । ୟୁନିକର୍ଣ୍ଣ କ୍ଲବରେ ସେଇମାନେ ଅର୍ନ୍ତଭୁକ୍ତ ହୋଇପାରନ୍ତି ଯେଉଁ କମ୍ପାନୀର ନେଟ୍ ୱାର୍ଥ ୧ ବିଲିୟନ୍ ଠୁ ଅଧିକ ହେଇଥିବ । ଆଗରୁ ୨୦୧୧ -୧୪ ଭିତରେ ମାତ୍ର ୪ଟି କମ୍ପାନୀ ୟୁନିକର୍ଣ୍ଣ ରେ ଅର୍ନ୍ତଭୁକ୍ତ ହୋଇପାରିଥିଲା । ଆଉ ୨୦୧୪-୨୦୨୨ ଭିତରେ ୬୫ ଟି କମ୍ପାନୀ ୟୁନିକର୍ଣ୍ଣ ରେ ଅର୍ନ୍ତଭୁକ୍ତ ହୋଇସାରିଲେଣି । ଆଉ ଏହି ରେସ୍ ରେ ଆମ ଭାରତ ଚାଇନାକୁ ବି ପଛରେ ପକାଇସାରିଲାଣି ।


ତେବେ କୋଭିଡ୍ ସମୟରେ ହିଁ ଡିଜିଟାଲ୍ ଇଣ୍ଡିଆର ମୁଖ୍ୟ ବିଶେଷତ୍ୱ କଣ ତାହା ଦେଖିବାକୁ ମିଳିଲା । ଶିକ୍ଷା ପଦ୍ଧତି ଠାରୁ ଆରମ୍ଭ କରି କାମର meeting,vaccination ସବୁକିଛି ଡିଜିଟାଲୀ ହେବାକୁ ଲାଗିଲା । ଆଉ ବର୍ତ୍ତମାନ ଯେଉଁ ଗତିରେ ଭାରତ ଡିଜିଟାଲୀ ଆଗେଇ ଚାଲିଛି ୨୦୨୫ ସୁଦ୍ଧା ଭାରତ ୧ ଟ୍ରିଲିୟନ ଡିଜିଟାଲ୍ economy  କରିବାରେ ସଫଳ ହୋଇଯିବ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )