Thursday 23rd May 2024

‘ଏକଶତ ଟଙ୍କା’ ନା ‘ଶହେ ଟଙ୍କା’ ?

ଶହେ ଶବ୍ଦ ପଛରେ ରହିଛି ଦେଢହଜାର ବର୍ଷର ଇତିହାସ

ଓଡିଶାର ଚିତ୍ର ଏବେ କଣ ? ଗୋଟିଏ ସମୟରେ ଦେଶର ଏକ ଦରିଦ୍ରତମ ରାଜ୍ୟ ହିସାବରେ କଳନା କରାଯାଉଥିବା ଓଡିଶାକୁ ଏବେ କେଉଁ ନାଁରେ ଲୋକ ଜାଣୁଛନ୍ତି ? ଏହାର ଉତ୍ତର ହେଉଛି ଆମ ଓଡିଶା ବିକାଶ ଦିଗରେ ଯାଉଛି ସତ କିନ୍ତୁ ପୁରାପୁରି ଦରିଦ୍ର ସୀମାରେଖା ତଳେ ଅଛି ବୋଲି ଆଉ ଦୁନିଆ କହୁନି । ମାନେ ଆମ ସ୍ଥିତି ଏବେ ମଝାମଝିରେ ରହିଛି । ଆଜିକାଲିର ଅସମ୍ଭବ ମୁଦ୍ରାସ୍ପୀତି ଯୁଗରେ ଶହେଟଙ୍କିଆ ନୋଟ ଖଣ୍ଡିଏ ଛିଡା କାଗଜ ଭଳି ଲାଗୁଛି । ଯାହା କେତେବେଳେ ଆସି କେତେବେଳେ ଉଡିଯାଉଛି ତାର କଳ୍ପନା କରିହେଉନି । ହେଲେ ଏହି ୧୦୦ ଟଙ୍କିଆ ନୋଟକୁ ନେଇ ଗୋଟିଏ ରୋଚକ କଥା ହୁଏତ ଆଜିଯାଏଁ ଆପଣମାନେ ଜାଣିନଥିବେ । ପ୍ରକୃତ କଥା ହେଲା ଆମ ଓଡିଶାରେ ଏହିସବୁ ଛୋଟ ବଡ ଜିନିଷକୁ ବିଶେଷ ଧ୍ୟାନ ଦିଆଯାଏ ନାହିଁ ।

ଦେଶରେ ଯେତେବେଳେ ନୋଟବନ୍ଦୀ ହେଲା । ସେତେବେଳେ ଅଚାନକ ସବୁକିଛି ଅସମ୍ଭବ ଅନୁଭବ ହେଲା । କେମିତି ଦେଶରେ ଲୋକ ଟଙ୍କା ବିନିମୟ କରିବେ ସେ ନେଇ ଚିନ୍ତା ବଢିଗଲା । ଜାଲ୍ ନୋଟ୍ ,ଦୁର୍ନୀତି,କଳାଧନ ସବୁକିଛିର ବେପାର ବନ୍ଦ ହେଇଗଲା ବୋଲି ଅନୁଭବ ହେଲା । କିନ୍ତୁ ହଁ କିଛିଟାରେ ପ୍ରଭାବ ପଡିଲା ସତ ହେଲେ ପୁରାପୁରି ହଟିଲା ନାହିଁ । ଆଜି ବି ଏସବୁ ଜିନିଷ ସେଭଳି ମାତ୍ରା ରେ ଚାଲିଛି ଯେମିତି ନୋଟବନ୍ଦୀ ପୂର୍ବରୁ ଚାଲିଥିଲା ।


ନୂଆ ନୋଟ ହେଉ କିମ୍ବା ପୁରୁଣା ନୋଟ୍ ଅନେକ ଲୋକ ବାରମ୍ବାର ତନତନ କରି ଯାଂଚ କରନ୍ତି କି ଏହା ଅସଲି କି ନକଲି ? କିନ୍ତୁ କେହି କେବେ ଯାଂଚ କରନ୍ତି ନାହିଁ ଏହି ନୋଟ୍ ଭିତରେ ଆମେ କେଉଁଠି ? ଆପଣ ଦେଖିଥିବେ ନୋଟ୍ ର ପଛ ଭାଗରେ ମିଞ୍ଜିମିଞ୍ଜି ଅକ୍ଷରରେ ଅନେକ ଗୁଡିଏ ଭାଷାରେ ଟଙ୍କାର ମୂଲ୍ୟ ଲେଖାହୋଇଥାଏ । ସୁଖର କଥା ଯେ ସେଥିରେ ଆମ ଭାଷା ଓଡିଆ ବି ରହିଛି । କିନ୍ତୁ ଦୁଃଖର କଥା ଯେ ଏଥିରେ ଲେଖାଥିବା ଓଡିଆଭାଷା ଆମ ନିଜ ଓଡିଆଲୋକ ବୁଝିପାରିବେ କି ନାହିଁ ସନ୍ଦେହ ।

କାରଣ ଏଥିରେ ଲେଖା ହୋଇଛି ଏକଶତ ଟଙ୍କା । ପୁରୁଣା ନୋଟରେ ତ ଥିଲା କିନ୍ତୁ ଏବେ ନୂଆ ନୋଟ୍ ରେ ଏକଶହ ଟଙ୍କା ଲେଖା ଅଛି । ଏଠାରେ କଣ ଶହେଟଙ୍କା ଲେଖିଥିଲେ ଆମ ପାଣ୍ଡିତ୍ୟରେ ଆଞ୍ଛ ଆସିଯାଇଥାନ୍ତା ? ନା ଲୋକ ଆମକୁ ଅଣସଂସ୍କୃତ ବୋଲି କହିଦେଇଥାନ୍ତେ । ଅନ୍ୟମାନଙ୍କ ଭାଷାର ଲେଖାକୁ ଯଦି ଦେଖିବା- ତାହାଲେ ବଙ୍ଗଳାରେ ଲେଖା ହୋଇଛି ‘ଏକଶ ଟାକା’,ହିନ୍ଦୀରେ ଲେଖା ହୋଇଛି ‘ଏକ ସୌ ରୁପୟେ’, କିନ୍ତୁ ଆମେ ଅଧିକ ଭଲ ଲେଖିଦେଇଛୁ ।

ଆମ ଓଡିଆମାନଙ୍କର ହଠାତ୍ ପ୍ରଚଣ୍ଡଭାବେ ଭଦ୍ର ହୋଇଯିବାର ଏକ ଦୁଷ୍ଟ ପ୍ରବଣତା ରହିଛି । ଭାଷା ବ୍ୟବହାର କ୍ଷେତ୍ରରେ ଏହିଭଳି ଅନେକ ଉଦାହରଣ ଅଛି । ଯଦି ଆପଣ ଗାଁ ଲୋକଙ୍କ କଥାକୁ ଲକ୍ଷ୍ୟ କରିବେ ବହୁତ ଅଶିକ୍ଷିତ ଗ୍ରାମବାସୀ ଏହି ଭଦ୍ର ହେବାର ମାନସିକତାର ଶିକାର ହୋଇ –“ତମେ ଆପଣ ବସ” ବୋଲି କହିଦିଏ । ଖାଲି ସେତିକି ନୁହେଁ,ସେଇ ଅପଚେଷ୍ଟାର ବଶବର୍ତ୍ତୀ ହୋଇ କିଛି ଲୋକ ପୁରୀ ରଥଯାତ୍ରାର ‘ଡାହୁକ ଗୀତ’କୁ ବନ୍ଦ କରିଦେଲେ । ଅଥଚ ଆଜିର ସମୟରେ ପପ୍‌-ସଂଗୀତ,ନୃତ୍ୟ ଓ ଫେସନ ନାଁରେ ନଗ୍ନତା ର ଚିତ୍ରକୁ ବହୁତ ପ୍ରେରଣାଦାୟୀ ବୋଲି କୁହାଯାଉଛି । ସମୟ ବଦଳିବାର ମାନେ ନୁହେଁ ଯେ ଆମେ ଆମ ମୂଲ୍ୟବୋଧକୁ ବି ବଦଳାଇଦେବା ।

‘ଶହେ ଟଙ୍କିଆ’ ନୋଟର ଶହେ ଶଦ୍ଦ ପଛରେ ରହିଛି ଦେଢହଜାର ବର୍ଷର ଇତିହାସ । ଏହି ଶଦ୍ଦରେ ଓଡିଆ ଗଣନାର ବ୍ୟାକରଣରେ ଅଛି-‘ଶହେ+ଏ’ ର ଗଠନ । ଯେଉଁ ଗଠନ ଅନ୍ୟାନ୍ୟ ସବୁ ଗଣନା ଶଦ୍ଦରେ ବ୍ୟବହୃତ ହୋଇଥାଏ । ଯେମିତିକି-ହାତେ ଲମ୍ବା,ଖଣ୍ଡେ ରୁଟି.ଚଉଠେ ପିଠା,ପୁଳେ ମାଂସ,ମାଠିଆଏ ପାଣି ଇତ୍ୟାଦି । ଯଦି ଏହି ନୋଟରେ ଶହେଟଙ୍କା ଲେଖିଥାନ୍ତେ ତାହାଲେ ଆମ ଭାଷାର ପ୍ରାଚୀନ ଗଠନ ଓ ପ୍ରଚଳିତ ଶଦ୍ଦର ବ୍ୟବହାର ସ୍ଥାନ ପାଇଥାନ୍ତା । ତା ଜାଗାରେ ଏକଶତ ବା ଏକ ଶହ ଶଦ୍ଦ ବ୍ୟବହାର କରି ଆମେ ଆମ ଭାଷାର ପ୍ରାଚୀନତାକୁ କ୍ଷୁଣ୍ଣ କରୁଛୁ । ଆପଣ ନିଜେ ହିଁ କୁହନ୍ତୁ କେତେ ଜଣ ଓଡିଆ ବାହାରିବେ ଯେଉଁମାନେ ଓଡିଶାରେ-ଶହେ ନ କହି ଏକଶହ ବା ଏକଶତ କହୁଥିବେ । କେହି ବି ଏହିଭଳି କୁହନ୍ତି ନାହିଁ । ହେଲେ ଏତେ ସବୁ ଜିନିଷକୁ ଆମେ ବା କାହିଁକି ଧ୍ୟାନ ଦେବା ? ଆମ ଭାଷା କୁଆଡେ ଓ କେଉଁ ଦିଗରେ ଯାଉଛି ତାହାକୁ ବି କାହିଁକି ଧ୍ୟାନ ଦେବା ?

ଯଦି ଏହି ଜିନିଷ ଜାଣିବା ପରେ ବି ଆପଣଙ୍କୁ ଲାଗୁଛି ଯେ-ଏକଶତ କିମ୍ବା ଏକଶହ ଲେଖାଯିବା ଠିକ୍ । ତାହାଲେ ଖଣ୍ଡେ କୁ ଏକଖଣ୍ଡ,ଫାଳେ କୁ ଏକ ଫାଳ, ଜଣେ କୁ ଏକଜଣ କହିବା ଆରମ୍ଭ କରିଦିଅନ୍ତୁ । ବୋଧହୁଏ ଆପଣମାନେ ଓଡିଆ ଭାଷା ବ୍ୟାକରଣରେ ବହୁତ ଅଧିକ ଜ୍ଞାନୀ ବୋଲି ପରିଗଣିତ ହୋଇପାରନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )