Sunday 3rd November 2024

ମେଜର ଧ୍ୟାନଚାନ୍ଦ ଓ ଜାତୀୟ କ୍ରୀଡା ଦିବସ

୧୯୦୫ ମସିହା ଅଗଷ୍ଟ ୨୯ ତାରିଖ । ସଂଧ୍ୟା ଆଳତିର ଧ୍ୱନି ଭାସି ଆସୁଥାଏ ଦେବାଳୟରୁ । ଆଉ ଠିକ୍ ଏହି ସମୟରେ ସମସ୍ତଙ୍କୁ ଆହ୍ଲାଦିତ କରି ପୂର୍ବାକାଶରେ ଉଜ୍ଜ୍ୱଳ ଆଭା ନେଇ ଉଇଁ ଆସିଲେ ଚନ୍ଦ୍ରମା । ତୀର୍ଥରାଜ ପ୍ରୟାଗଠାରେ ଭାରତୀୟ ସେନାବାହିନୀର ସୁବେଦାର ସମେଶ୍ୱର ଦତ୍ତ ସିଂହଙ୍କ ଧର୍ମପତ୍ନୀଙ୍କ କୋଳମଣ୍ଡନ କରି ଯେଉଁ ଶିଶୁ ଜନ୍ମ ନେଇଥିଲା ସେ ଆଉ କେହି ନୁହଁ ଭାରତର ଗର୍ବ ଆଉ ଗୌରବର ପ୍ରତୀକ ଧ୍ୟାନଚାନ୍ଦ । ଯିଏକି ପରବର୍ତ୍ତି ପର୍ଯ୍ୟାୟରେ ନିଜର ଅସାଧାରଣ କ୍ରୀଡା ପ୍ରତିଭା ବଳରେ ଭାରତୀୟ ଜାତୀୟ ଖେଳ ହକିର ଚାନ୍ଦ ବା ମଉଡମଣି ଭାବେ ସୁପରିଚିତ ହୋଇ ପାରିଥିଲେ । ତାଙ୍କର କ୍ରୀଡା ନୈପୁଣ୍ୟ ଅନ୍ୟମାନଙ୍କୁ ଏପରି ପ୍ରଭାବିତ କରିଥିଲା ଯେ କେହି କେହି ତାଙ୍କୁ ଭାରତୀୟ କ୍ରୀଡାର ପ୍ରବାଦପୁରୁଷ ବୋଲି ସମ୍ବୋଧନ କରୁଥିବା ବେଳେ ଆଉ କିଏ ଡାକୁଥିଲେ ଭାରତୀୟ ହକିର ଯାଦୁକର ପୁଣି ଗୋଲ୍ ମେସିନ୍ ।
ଧ୍ୟାନଚାନ୍ଦଙ୍କ ପିତା ଭାରତୀୟ ସେନାବାହିନୀରେ ସୁବେଦାର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ହକି ଖେଳ ପ୍ରତି ଅତ୍ୟଧିକ ଆସକ୍ତି ଥିଲା ଓ ସେ ଜଣେ ଭଲ ହକି ଖେଳାଳୀ ଥିଲେ । ପିତାଙ୍କ ପଦାଙ୍କ ଅନୁସରଣ କରି ଧ୍ୟାନଚାନ୍ଦ କ୍ରମଶଃ ହକି ଖେଳିବା ଆରମ୍ଭ କରିଥିଲେ । ନିଷ୍ଠା ଓ ସାଧନା କଦାପି ବ୍ୟର୍ଥ ହୁଏନାହିଁ । ଏହା ପ୍ରମାଣିତ ହୋଇଥିଲା ଧ୍ୟାନଚାନ୍ଦଙ୍କ ପାଖରେ । ପାଠପଢା ସହ ଅବସର ସମୟରେ ସେ ନିଜ ପିତାଙ୍କର ହକି ଷ୍ଟିକ୍ ହେଉ ବା ତାଳ ବାହୁଙ୍ଗାରେ ଷ୍ଟିକ୍ ପ୍ରସ୍ତୁତ କରି ବିଭିନ୍ନ ପ୍ରକାର ପେଣ୍ଡୁକୁ ଗଡାଇ ଅଭ୍ୟାସ ଜାରି ରଖିଥିଲେ । ଏପରିକି ଖେଳଛୁଟି ସମୟରେ ସାଙ୍ଗମାନଙ୍କୁ ଏକତ୍ରିତ କରି ବିଭିନ୍ନ ପ୍ରକାରର ଷ୍ଟିକ୍ ବା ବାଡି ସାହାଯ୍ୟରେ ହକି ଖେଳ ଅଭ୍ୟାସ କରୁଥିଲେ । କାରଣ ସେ ଜାଣିଥିଲେ କୌଣସି ଆନ୍ତରିକ ଉଦ୍ୟମ କେବେ ବ୍ୟର୍ଥ ହୁଏନାହିଁ । ଏହି କଥାକୁ ମନରେ ରଖି ସେ ନିଜର ଇପ୍‌ସିତ ପଥରେ ଅଗ୍ରସର ହୋଇଥିଲେ ।


ତାଙ୍କୁ ଯେତେବେଳେ ଚଉଦ ବର୍ଷ ହୋଇଥିଲା ସେ ବାପାଙ୍କ ସହିତ ଏକ ହକି ମ୍ୟାଚ୍ ଦେଖିବାକୁ ଯାଇଥିଲେ । ଖେଳ ଆରମ୍ଭ ହେଲା । ମଧ୍ୟାନ୍ତର ବେଳକୁ ସମେଶ୍ୱରଙ୍କ ସମର୍ଥିତ ଦଳ ୨-୦ ଗୋଲରେ ପଛରେ ଥାଏ । ତାଙ୍କ କିଶୋର ପ୍ରାଣରେ ଉଦ୍‌ବେଳନ ସୃଷ୍ଟି ହେଲା । ନିଜର ମନର କଥା ପିତାଙ୍କ ଆଗରେ ପ୍ରକାଶ କରି ସେ ସେହି ଦଳରେ ସାମିଲ ହେବାପାଇଁ ମନସ୍ଥ କଲେ । ପୁତ୍ରର ଆବେଗ ଓ ଆନ୍ତରିକତାକୁ ହୃଦୟଙ୍ଗମ କଲେ ପିତା ସମେଶ୍ୱର । ଏଥିପାଇଁ ସେ ଓ ସେନାବାହିନୀର ପଦସ୍ଥ ଅଫିସର ଧ୍ୟାନଚାନ୍ଦଙ୍କୁ ସେହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦେଲେ । ସେହି ମ୍ୟାଚରେ ଧ୍ୟାନଚାନ୍ଦ ୪ ଗୋଲ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ । ଆଉ ତାପରର ଘଟଣା ଥିଲା ସ୍ୱର୍ଣ୍ଣାଭ ଇତିହାସ । ତାଙ୍କ କୃତିତ୍ୱ ଦେଖି ତାଙ୍କୁ ସେନାବାହିନୀରେ ଚାକିରୀ କରିବାର ସୁଯୋଗ ମିଳିଥିଲା ଓ ସେନାବାହିନୀ ତରଫରୁ ନିୟମିତ ଖେଳିବାର ସୁଯୋଗ ମଧ୍ୟ ।
୧୯୨୬ ମସିହାରେ ଧ୍ୟାନଚାନ୍ଦ ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ମନୋନୀତ ହୋଇଥିଲେ । ଗୋଟିଏ ମ୍ୟାଚରେ ଭାରତ ୨୦ ଗୋଲ ସ୍କୋର କରିଥିବା ବେଳେ ଧ୍ୟାନଚାନ୍ଦଙ୍କ ବ୍ୟକ୍ତିଗତ ଅବଦାନ ଥିଲା ୧୦ ଗୋଲ୍ । ଉକ୍ତ ଗସ୍ତ କାଳରେ ଭାରତ ୨୧ଟି ମ୍ୟାଚ ଖେଳି ୧୮ରେ ବିଜୟ ଲାଭ କରିଥିଲା । ଭାରତୀୟ ଦଳ ମୋଟ ୧୯୨ ଗୋଲ ସ୍କୋର କରିଥିବା ବେଳେ ଧ୍ୟାନଚାନ୍ଦ ଏକାକୀ ୧୦୦ ଗୋଲ ସ୍କୋର କରିଥିଲେ । ସେହିପରି ୧୯୨୭ରେ ଲଣ୍ଡନଠାରେ ଅନୁଷ୍ଠିତ ଫକ୍ସଷ୍ଟୋନ୍ ଫେଷ୍ଟିଭାଲ୍ ଅବସରରେ ଭାରତ ୧୦ ମ୍ୟାଚ ଖେଳି ୭୨ ଗୋଲ ସ୍କୋର କରିଥିବା ବେଳେ ସେ ୩୬ ଗୋଲ ସ୍କୋର କରିଥିଲେ । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ ଆମେରିକା ବିପକ୍ଷ ଏକ ମ୍ୟାଚରେ ଭାରତ ୨୩-୧ରେ ବିଜୟୀ ହୋଇଥିବା ବେଳେ ଧ୍ୟାନଚାନ୍ଦଙ୍କ ଷ୍ଟିକରୁ ୮ ଗୋଲ ସ୍କୋର ହୋଇଥିଲା । ଏହିପରି ଗୋଟିଏ ପରେ ଗୋଟିଏ ସଫଳତା ତାଙ୍କୁ ଅଶେଷ ଖ୍ୟାତି ଆଣି ଦେଇଥିଲା ।


ହକିରେ ଅବିସ୍ମରଣୀୟ ବର୍ଷମାନଙ୍କ ମଧ୍ୟରେ ଧ୍ୟାନଚାନ୍ଦ ଭାରତକୁ ୧୯୨୮, ୧୯୩୨ ଓ ୧୯୩୬ ଅଲମ୍ପିକ୍ସରେ ବିଜୟୀ କରାଇଥିଲେ । ୧୯୩୬ ବର୍ଲିନ ଅଲମ୍ପିକ୍ସରେ ଭାରତ ପ୍ରତିପକ୍ଷ ହଙ୍ଗେରୀକୁ ୪-୦, ଆମେରିକାକୁ ୭-୦ ଓ ଜାପାନକୁ ୯-୦ ଗୋଲରେ ହରାଇଲା ପରେ ସେମିରେ ଫ୍ରାନ୍ସକୁ ୧୦-୦ ଗୋଲରେ ପରାସ୍ତ କରିଥିଲା । ଜର୍ମାନ ସହିତ ଫାଇନାଲ ମ୍ୟାଚ ଖେଳିଥିବା ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ଗୋଟିଏ ଗୋଲ ସ୍କୋର କରିଥିଲା । ଧ୍ୟାନଚାନ୍ଦ ଦ୍ୱିତୀୟାର୍ଦ୍ଧରେ ଜୋତା ନପିନ୍ଧି ଖାଲିପାଦରେ ଖେଳିବା ସହିତ ଦଳ ଦେଇଥିବା ୮ଟି ଗୋଲ ମଧ୍ୟରୁ ସେ ୬ଟି ଗୋଲ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଭାରତ ୮-୧ରେ ବିଜୟୀ ହେବା ପରେ ତତ୍‌କାଳୀନ ଜର୍ମାନୀ ଶାସକ ଆଡଲ୍‌ଫ ହିଟଲର ତାଙ୍କୁ ସମ୍ମାନିତ କରିବା ସହ ଜର୍ମାନୀ ଆର୍ମିରେ ଚାକିରି ଯାଚିଥିଲେ । ୧୯୩୫ ମସିହାରେ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଧ୍ୟାନଚାନ୍ଦ କ୍ରିକେଟ ଜଗତର କିମ୍ବଦନ୍ତୀ ପୁରୁଷ ସାର୍ ଡନ୍ ବ୍ରାଡମ୍ୟାନ୍‌ଙ୍କୁ ସାକ୍ଷାତ କରିଥିଲେ । ତାଙ୍କ ପ୍ରତିଭାକୁ ସ୍ୱୀକୃତ ଜଣାଇ ୧୯୪୭ ମସିହା ଯେଉଁ ବର୍ଷ ଭାରତ ସ୍ୱାଧୀନ ହେଲା, ସେହି ବର୍ଷ ସେ ଭାରତୀୟ ଦଳର ଅଧିନାୟକ ରୂପେ ମନୋନୀତ ହୋଇଥିଲେ ଓ ୧୯୪୮ ମସିହାରେ ଏହି ମହାନ କ୍ରୀଡାବିତ୍ ହକି ଖେଳରୁ ଅବସର ନେଇଥିଲେ ।
ଧ୍ୟାନଚାନ୍ଦ ହକି ଖେଳକୁ ନିଜର ଜୀବନ ବୋଲି ଭାବି ନେଇଥିଲେ । ଭାରତୀୟ ହକିକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ତାଙ୍କ ଜୀବନର ପରମ ଲକ୍ଷ୍ୟ ଥିଲା । ୧୯୨୬ ମସିହାରୁ ୧୯୪୮ ମସିହା ଦୀର୍ଘ ୨୨ ବର୍ଷ ଧରି ଦେଶ ପାଇଁ ଖେଳିବା ସହିତ ଦେଶ ପାଇଁ ଅନେକ ଗର୍ବ ଆଉ ଗୌରବ ଆଣିବାରେ ସଫଳ ହୋଇଥିଲେ ସେ । ଦେଶ ପାଇଁ ବିପୁଳ ସମ୍ମାନ ଅର୍ଜନ କରିଥିବାରୁ ୧୯୫୬ ମସିହାରେ ଧ୍ୟାନଚାନ୍ଦଙ୍କୁ ‘ପଦ୍ମଭୂଷଣ’ ସମ୍ମାନ ପ୍ରଦାନ କରାଯାଇଥିଲା । ଭାରତୀୟ ଡାକସେବା ପକ୍ଷରୁ ତାଙ୍କ ନାମରେ ଡାକଟିକେଟ ପ୍ରଚଳନ ହୋଇଥିବା ବେଳେ ନୂଆଦିଲ୍ଲ୍‌ୀରେ ତାଙ୍କ ନାମରେ ନ୍ୟାସନାଲ ଷ୍ଟାଡିୟମ୍ ନାମକରଣ ହୋଇଛି । ଏପରିକି ତାଙ୍କୁ ସମ୍ମାନ ଜଣାଇ ଭାରତ ସରକାର ୧୯୯୫ ମସିହା ଠାରୁ ତାଙ୍କ ଜନ୍ମ ଦିବସକୁ ‘ଜାତୀୟ କ୍ରୀଡା ଦିବସ’ ରୂପେ ପାଳନ କରୁଛନ୍ତି ।


ଗତ ଟୋକିଓ ଅଲମ୍ପିକ୍ସ୍‌ରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଚ ପଦକ ଜିତିବାପରେ ଭାରତୀୟ ହକିର ପୁନର୍ଜନ୍ମ ହୋଇଛି । କାରଣ ଗତ ୪୧ ବର୍ଷ ଧରି ଭାରତୀୟ ହକି ମୃତ ଅବସ୍ଥାରେ ପଡିରହିଥିଲା । ଅନେକ ଚେଷ୍ଟାକରି ମଧ୍ୟ ଭାରତ ବିଗତ ଦିନରେ ଅଲମ୍ପିକ୍ସ ପଦକ ଜିତିବା ପାଇଁ ସମର୍ଥ ହୋଇପାରୁନଥିଲା । ତେବେ ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିବା ପରେ ଭାରତୀୟ ହକିରେ ଏବେ ନୂଆ ପ୍ରାଣ ସଂଚାର ହୋଇଛି । ତେଣୁ ଭାରତୀୟ ହକି ପୁଣି ଆଗାମୀ ଦିନରେ ଏକ ନୂଆ ସୋପାନ ଦେଇ ଗତି କରିବ ବୋଲି ଆଶା କରାଯାଏ । ଏହାହିଁ ଜାତୀୟ କ୍ରୀଡା ଦିବସର ଅନୁଚିନ୍ତା ।

CATEGORIES
TAGS
Share This

COMMENTS

Wordpress (0)
Disqus ( )