ଗାଁ ହେଉ କି ସହର ମହଙ୍ଗା ହେଉଛି ବାହାଘର
ବିବାହ କରିବାର ଅଧିକାର ହେଉଛି ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଧାରଣ କରିବାର ଏକ ଅଂଶ । ସଭ୍ୟ ସମାଜରେ ପୁରୁଷ ଏବଂ ସ୍ତ୍ରୀ କୁ ଗୋଟିଏ ଘରେ ରହି ସଂସାର ଗଢିବା ର ଅଧିକାର କେବଳ ବାହାଘର ପରେ ହିଁ ମିଳେ । ଦୁଇଟି ପରିବାର ମଧ୍ୟରେ ବାହାଘର ଏକ ସଂମ୍ପର୍କ ସ୍ଥାପନ କରିଥାଏ । ଆଗକାଳ ରେ ବାହାଘର ମାନେ ହସଖୁସି , ବୁଝାମଣା ଏବଂ ଖିଆପିଆ କୁ ବୁଝାପଡୁଥିଲା । କିନ୍ତୁ ଏବେ ବାହାଘର ମାନେ ଚାକଚକ୍ୟ ଏବଂ କିଏ କେତେ ଟଙ୍କା ଖର୍ଚ୍ଚ କଲା ତା ଉପରେ ଅଧିକ ଚର୍ଚ୍ଚା । ଗାଁ ହେଉ କି ସହର ମହଙ୍ଗା ହେଉଛି ବାହାଘର । ସତେ ଯେମିତି ଟଙ୍କା ଖର୍ଚ୍ଚ ନ ହେଲେ ତାକୁ ବାହାଘର କୁହାଯାଏନି । ବିବାହ ହେଉଛି ଦୁଇ ଜଣ ଏବଂ ଦୁଇ ପରିବାରର ଏକ ବୁଝାମଣା ଯାହାକି ଶାନ୍ତିରେ ବଞ୍ଚିବା ଓ ଆବଶ୍ୟକ ସମୟରେ ପରସ୍ପରକୁ ସାହାଯ୍ୟ କରିବାକୁ ବୁଝାଏ । ଚାକଚକ୍ୟ ଜୀବନ ଶୈଳୀ ପାଇଁ ଦେଶରେ ବାହାଘର ଖର୍ଚ୍ଚ ବଢ଼ିବାରେ ଲାଗିଛି ।
ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ ଜନିତ କଟକଣା ପାଇଁ ୨୦୨୦ ଏବଂ ୨୦୨୧ ମସିହାରେ ଅପେକ୍ଷାକୃତ କମ୍ ସଂଖ୍ୟକ ବାହାଘର ହୋଇଥିଲା । କିନ୍ତୁ ୨୦୨୨ ମସିହାରେ ବିବାହ ସଂଖ୍ୟା ବଢ଼ିଛି । କେବଳ ସଂଖ୍ୟା ନୁହେଁ, ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି । ତେବେ ଅନ୍ୟ ଏକ ରିପୋର୍ଟ ଅନୁସାରେ ୨୦୨୧ ମସିହାରେ ବାହାଘର ର ହାରାହାରି ଖର୍ଚ୍ଚ ୨୧ ଲକ୍ଷ ଟଙ୍କା ରହିଥିଲା । ୨୦୨୨ ରେ ଉକ୍ତ ଖର୍ଚ୍ଚ ୩୩.୩୩ ପ୍ରତିଶତ ବୃଦ୍ଧି ଘଟି ୨୮ ଲକ୍ଷ ଟଙ୍କାରେ ପହଞ୍ଚିଛି ।
ଏସବୁ ସତ୍ତ୍ବେ ଅଧିକାଂଶ ବ୍ୟକ୍ତି ସେମାନଙ୍କ ବିବାହ ଉତ୍ସବକୁ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କରିଛନ୍ତି । ୬୦.୨୧ ପ୍ରତିଶତ ବାହାଘର ୧୦୦ ଜଣରୁ କମ୍ ଅତିଥିଙ୍କୁ ନେଇ ହୋଇଛି । କେବଳ ୧୩ ପ୍ରତିଶତ ବାହାଘର ୩୦୦ ରୁ ଅଧିକ ଅତିଥିଙ୍କୁ ନେଇ ହୋଇଛି ବୋଲି ବିବାହ ପ୍ରଯୁକ୍ତି ପ୍ଲାଟଫର୍ମ ୱେଡିଂଓୟାର ଇଣ୍ଡିଆ ତଥ୍ୟରୁ ଜଣାଯାଇଛି ।୨୦୨୨ ବର୍ଷର ଅନ୍ୟାନ୍ୟ ମାସଗୁଡ଼ିକ ତୁଳନାରେ ଡିସେମ୍ବର ମାସରେ ଅଧିକ ବାହାଘର ହୋଇଥିଲା । ବର୍ଷକର ମୋଟ ବିବାହ ସଂଖ୍ୟା ମଧ୍ୟରୁ ୨୧.୫ ପ୍ରତିଶତ ଡିସେମ୍ବରରେ ହୋଇଥିଲା । ଅର୍ଥାତ୍ ପ୍ରତି ୫ଟିରୁ ଗୋଟିଏ ବାହାଘର ଏହି ମାସରେ ଦେଖିବାକୁ ମିଳିଥିଲା । ଏହା ପଛକୁ ଫେବ୍ରୁଆରିରେ ୧୫.୪୯ ପ୍ରତିଶତ ହୋଇଥିଲା । ତାରିଖ ହିସାବରେ ଡିସେମ୍ବର ୨ରେ ସବୁଠୁ ଅଧିକ ବାହାଘର ହୋଇଥିଲା ।
ୱେଡିଂଓୟାର ଇଣ୍ଡିଆର ମୁଖ୍ୟ ଅନାମ ଜୁବେର୍ କହିଛନ୍ତି, ୨୦୨୦ ଏବଂ ୨୦୨୧ରେ କରୋନା ମହାମାରୀଜନିତ କଟକଣା ପାଇଁ ଅନେକଙ୍କ ବାହାଘର ହୋଇ ପାରି ନଥିଲା । ତେଣୁ ସେମାନେ ୨୦୨୨କୁ ଅପେକ୍ଷା କରିଥିଲେ । ବାହାଘର ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରସ୍ତୁତି ହୋଇଥିଲେ ମଧ୍ୟ ପୂର୍ବରୁ ଖର୍ଚ୍ଚ ପାଇଁ ରଖାଯାଇଥିବା ବଜେଟ୍ରେ ସେତେଟା ପରିବର୍ତ୍ତନ ଅଣାଯାଇ ନଥିଲା ବୋଲି ସେ କହିଛନ୍ତି ।
ନିକଟରେ ଏକ ବାହାଘର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯେତେବେଳେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପୋଷା କୁକୁର ଏକ ରିଙ୍ଗ୍ ଧାରକ ଭାବରେ ବିବାହ ମଞ୍ଚକୁ ପ୍ରବେଶ କଲା । ତେବେ ଆମ୍ବାନୀ ପରିବାରର ପ୍ରତ୍ୟେକଟି ବାହାଘର ବେଶ୍ ବିଳାଶପୂର୍ଣ ହେଇଥାଏ । ବ୍ୟବସାୟ ଟାଇଟାନ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି ।
ଗୁଜରାଟୀରେ ‘ଗୋଲ୍ ଧାନା’ ସମାରୋହ ହେଉଛି ବିବାହ ପୂର୍ବରୁ ଏକ ରୀତିନୀତି । ଗୋଲର ଅର୍ଥ ହେଉଛି ଗୁଣ୍ଡ ଏବଂ ଧାନର ଅର୍ଥ ଧନିଆ ମଞ୍ଜି । ଏହି ସମାରୋହରେ ଏହି ଦୁଇଟି ଜିନିଷ ବରର ସ୍ଥାନରେ ବଣ୍ଟନ କରାଯାଏ । ବରର ପରିବାର ଘରକୁ ଉପହାର ଏବଂ ମିଠା ନେଇ ଆସନ୍ତି ଯାହା ପରେ ଦମ୍ପତି ମଧ୍ୟରେ ରିଙ୍ଗ୍ ସେରିମନୀ ହୋଇଥାଏ ।
ସମାରୋହରୁ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା । ପରିବାର ସଦସ୍ୟମାନେ ମଧ୍ୟ ନୂଆ ଦମ୍ପତିଙ୍କ ପାଇଁ ଏକ ସ୍ୱତନ୍ତ୍ର ନୃତ୍ୟ ପରିବେଷଣ କରିଥିଲେ । ତେବେ, ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ଅନନ୍ତ ଏବଂ ରାଧିକାଙ୍କ ପୋଷା କୁକୁର ।
୨୦ ପ୍ରତିଶତ ଲୋକ ରବିବାର ଦିନ ବାହା ହେବାକୁ ପସନ୍ଦ କରିଛନ୍ତି । ଏହା ପଛକୁ ଶୁକ୍ରବାର (୧୯.୭ ପ୍ରତିଶତ) ରହିଛି । ଭାରତର ବଡ଼ ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ସବୁଠୁ ଅଧିକ ବାହାଘର ହୋଇଛି । ଅନ୍ୟପକ୍ଷରେ ତ୍ରିପୁରା, ସିକ୍କିମ ଏବଂ ଇମ୍ଫାଲରେ ସବୁଠୁ କମ୍ସଂଖ୍ୟକ ବାହାଘର ରହିଛି। ଟାଏର-୨ ସହରଗୁଡ଼ିକ ମଧ୍ୟରେ ଲକ୍ଷ୍ନୌ, ଜୟପୁର ଏବଂ ଗୁରୁଗ୍ରାମରେ ସବୁଠୁ ଅଧିକ ବାହାଘର ହୋଇଛି ।
ଅନ୍ତର୍ଜାତୀୟ ସ୍ତରରେ ଲୋକମାନେ ବିବାହ ପାଇଁ ଚୟନ କରିଥିବା ସ୍ଥାନଗୁଡ଼ିକ ମଧ୍ୟରେ ସିଙ୍ଗାପୁର , ଆବୁଧାବି ଏବଂ ନ୍ୟୁୟର୍କ ଶୀର୍ଷ ତିନିଟି ମଧ୍ୟରେ ରହିଛି । ବିବାହ ସ୍ଥଳ ଏବଂ ହଲ୍ର ଚାହିଦା ସବୁଠାରୁ ଅଧିକା । ଏହା ପଛକୁ ୱେଡିଂ ଫଟୋଗ୍ରାଫର ଏବଂ ମେକଅପ୍ ଆର୍ଟିଷ୍ଟଙ୍କ ଚାହିଦା ମଧ୍ୟ ଅଧିକ ରହୁଛି । ତେବେ ବିବାହ ରେ ଏତେ ଚାକ ଚକ୍ୟ ର ଆବଶ୍ୟକତା ନଥାଏ । ପ୍ରିଓ୍ୱେଡିଂ ଏବଂ ପୋଷ୍ଟ ଓ୍ୱେଡିଂ ସୁଟ୍ ଏବେ ଟ୍ରେଣ୍ଡରେ ଚାଲିଛି । ଏଥିରୁ ଲାଭବାନ୍ ହେଉଛନ୍ତି ଷ୍ଟେଜ୍ ଡ୍ୟାନ୍ସର୍ , ଇଭେଣ୍ଟ୍ ମ୍ୟାନେଜମେଣ୍ଟ କମ୍ପାନୀ ଏବଂ କ୍ୟାମେରା ମ୍ୟାନ୍ । ବିଶେଷକରି ଛୋଟମୋଟ ଫୁଲ ବ୍ୟବସାୟୀ ରୁ ଆରମ୍ଭକରି ରୋଷେୟା ସମସ୍ତଙ୍କୁ ମିଳିଛି ରୋଜଗାର । ବର୍ତ୍ତମାନ ର ଯୁବପିଢି ର ଆଗ୍ରହ ବାହାଘର ଅପେକ୍ଷା ବାହାଘରର ପ୍ରସ୍ତୁତି , କ୍ୟାମେରା ସୁଟିଂ , ନାମିଦାମୀ ଡ୍ରେସିଂ ଏବଂ ଅତ୍ୟନ୍ତ ବିଳାସପୂର୍ଣ୍ଣ ବାହାଘର ସେଟ୍ ଉପରେ ରହୁଛି ।